ନୂଆଦିଲ୍ଲୀ: ଜମି ବଦଳରେ ଚାକିରୀ ଯୋଗାଇଦେବା ଦୁର୍ନୀତିରେ ଦିଲ୍ଲୀର ଏକ ଅଦାଲତ ବୁଧବାର ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ, ପତ୍ନୀ ରାବ୍ରୀ ଦେବୀ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ମୋଟ ୧୪ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜୁଲାଇ ୩ରେ ସିବିଆଇ ପକ୍ଷରୁ ଏମାନଙ୍କ ବିରୋଧରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହାକୁ ଆଧାର କରି ବିଚାରପତି ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଲାଲୁ କେନ୍ଦ୍ରରେ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା । ଯେଉଁ ବ୍ୟକ୍ତି ପାଟନାରେ ଥିବା ନିଜସ୍ୱ ଜମିକୁ ଶସ୍ତା ମୂଲ୍ୟରେ ଲାଲୁଙ୍କ ପରିବାରକୁ ବିକ୍ରି କରିବେ, ସେହି ବ୍ୟକ୍ତିଙ୍କୁ ରେଳବାଇରେ ଚାକିରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ପ୍ରଲୋଭନରେ ପଡି ଏକାଧିକ ବ୍ୟକ୍ତି ସେମାନଙ୍କ ଜମି ବିକ୍ରି କରିବା ସହ ରେଳବାଇରେ ଚାକିରୀ ମଧ୍ୟ ପାଇଥିଲେ।