ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଦୃତ ବେଗରେ ମାଡି ଚାଲିଛି । ସମସ୍ତ ରେକର୍ଡ ଭାଙ୍ଗି ସୋମବାର ଦେଶରେ ୨୪ ଘଣ୍ଟାରେ ଆସିଥିବା ମାମଲା ୧ ଲକ୍ଷ ଅତିକ୍ରମ କରିଛି । ଯେମିତି ଦୃତ ବେଗରେ ଆକ୍ଟିଭ କେସ ସଂଖ୍ୟା ବଢୁଛି, ସେହି ହିସାବରେ ଚିନ୍ତା ମଧ୍ୟ ବଢୁଛି । ମହାରାଷ୍ଟ୍ର ବର୍ତମାନ ଦେଶରେ ସବୁଠୁ ପ୍ରଭାବୀତ ରାଜ୍ୟ ବନିଯାଇଛି । ଅନ୍ୟପଟେ ଅନ୍ୟ ରାଜ୍ୟରେ ବି କୋଭିଡ ମାମଲା ଦୃତ ବେଗରେ ମାଡିଚାଲିଛି ।
ହିମାଚଳ ପ୍ରଦେଶ ଚମ୍ବାରେ ଏକ ବୋର୍ଡିଂ ସ୍କୁଲରେ ୨୯ ମାର୍ଚ୍ଚରେ କୋରନା ମାମଲା ସାମ୍ନାକୁ ଆସିଥିଲା । ଯାହାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ଏବେ ସେଠାରେ ୧୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ହେଲପର ଆଦି ସାମିଲ ରହିଛନ୍ତି । ଏହାପରେ ସମସ୍ତଙ୍କୁ ଆଇସୋଲେଟ କରାଯାଇଛି ।
ସଂକ୍ରମଣ ବଢୁଥିବାରୁ ହସ୍ପିଟାଲରେ ବେଡ ଖାଲି ରହୁନାହିଁ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଘରୋଇ ଲ୍ୟାବରେ ଟେଷ୍ଟିଂ ସଂଖ୍ୟା ବଢାଇବା ନେଇ ମଧ୍ୟ ବିଚାର କରାଯାଇପାରେ । ସମସ୍ତ ହସ୍ପିଟାଲରେ ପ୍ରାୟ ୧୦ ପ୍ରତିଶତ ବେଡ କେବଳ କୋଭିଡ ରୋଗୀଙ୍କ ପାଇଁ ରଖାଯିବ ବୋଲି ସେ କହିଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ସଂକ୍ରମଣ ବଢିବାକୁ ଲାଗିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ସତୈନ୍ଦ୍ର ଜୈନଙ୍କ ଅନୁସାରେ, ଖୁବଶୀଘ୍ର କଣ୍ଟେନମେଣ୍ଟ ଜୋନ ନୀତି ବଦଳିବ । ଯଦି ଅଂଚଳରେ ୨-୩ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତେବେ ତାକୁ ସିଲ୍ କରାଯିବ । ଆମେ ଲୋକଙ୍କୁ ପ୍ଲାଜମା ଡୋନେଟ କରିବାକୁ ଅପିଲ କରୁଛୁ ବୋଲି ସେ କହିଛନ୍ତି ।
ରାଜସ୍ଥାନ ସରକାର କରୋନା ସଂକ୍ରମଣ ଦେଖିବା ପରେ କଟକଣା କଡାକଡି କରିଛନ୍ତି । ଯଦି ଏବେ ରାଜସ୍ଥାନରେ କିଏ ପ୍ରବେଶ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ନିଜର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଏମିତି କରୁନଥିବା ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ ହୋମ ଆଇସୋଲେସନରେ ରଖାଯିବ । ଯଦି କିଏ ହୋମଆଇସୋଲେସନକୁ ପାଳନ ନକରନ୍ତି, ତେବେ ସେମାନଙ୍କୁ ଆଇସୋଲେସନ ସେଣ୍ଟର ପଠାଇଦିଆଯିବ ।