ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୨ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୦୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୩୭, କଟକରୁ ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଓ ପୁରୀରୁ ୮୨ଜଣ ଲେଖାଏଁ, ଷ୍ଟେଟପୁଲରୁ ୫୦, ଅନୁଗୁଳରୁ ୪୮, ଭଦ୍ରକରୁ ୪୭, ଯାଜପୁରରୁ ୪୩, ବାଲେଶ୍ୱରରୁ ୩୬, ନୟାଗଡ଼ରୁ ୩୦, ଢେଙ୍କାନାଳରୁ ୨୫, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ୨୩ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦, ସମ୍ବଲପୁରରୁ ୧୯, କେନ୍ଦ୍ରାପଡାରୁ ୧୮, ବରଗଡ଼, କନ୍ଧମାଳ ଓ ସୋନପୁରରୁ ୧୦ ଜଣ ଲେଖାଏଁ, କୋରାପୁଟରୁ ୯, ଦେବଗଡ଼, ଗଞ୍ଜାମ ଓ ରାୟଗଡ଼ାରୁ ୮ ଜଣ ଲେଖାଏଁ, ଗଜପତି, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁରରୁ ୬ଜଣ ଲେଖାଏଁ, ବଲାଙ୍ଗୀରରୁ ୪, ଝାରସୁଗୁଡାରୁ ୩, ବୌଦ୍ଧରୁ ୨, ନୂଆପଡାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୫୮ ହଜାର ୬୦୧ ରହିଥିବା ବେଳେ ୧୫ ହଜାର ୫୦ ଜଣ ଚିକିତ୍ସିତ ହେଉଛନ୍ତି ।