ଦେଶରେ କରୋନାଭାଇରସ୍ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଗାଜିଆବାଦ୍ରେ ମୋଟ ୪ ଜଣ ସକ୍ରିୟ ମାମଲା ରିପୋର୍ଟ ହେବା ପରେ ଦେଶରେ ମୋଟ୍ କରୋନାର ସକ୍ରିୟ ମାମଲା ୩୫୦ରେ ପହଞ୍ଚିଛି । ଏଥିରୁ କେବଳ ମହାରାଷ୍ଟ୍ରରୁ ୧୦୦ରୁ ଅଧିକ ମାମଲା ରହିଥିବା ବେଳେ ଦିଲ୍ଲୀରେ ୨୩ଟି ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଦିଲ୍ଲୀ ଏନସିଆରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
ଦିଲ୍ଲୀରେ ସମସ୍ତ ୨୩ଟି ସକ୍ରିୟ ମାମଲାକୁ ଟ୍ରେସ୍ କରିବା ପାଇଁ ପ୍ରୟାସ କରାଯାଉଛି । ସମସ୍ତ ହସ୍ପିଟାଲ ସହିତ ଯୋଗାଯୋଗ କରାଯାଉଛି ଏବଂ ସ୍ୱାସ୍ଥ୍ୟ ସୁବିଧା ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ପଙ୍କଜ ସିଂହ କହିଛନ୍ତି ଯେ ଯେଉଁ ମାମଲାଗୁଡ଼ିକ ବୃଦ୍ଧି ପାଇଛି, ପ୍ରାଥମିକ ରିପୋର୍ଟରେ ସାଧାରଣ ଇନଫ୍ଲୁଏଞ୍ଜା ଦେଖାଯାଇଛି । ତେବେ କେବଳ ଦିଲ୍ଲୀ ନୁହେଁ ବରଂ ମହାରାଷ୍ଟ୍ର, ତାମିଲନାଡୁ, କେରଳ ଭଳି ରାଜ୍ୟରେ ମଧ୍ୟ ଦୈନିକ କରୋନା ସଂକ୍ରମଣଜନିତ ସଂଖ୍ୟା ବଢ଼ି ଚାଲିଛି । ବିଶ୍ୱ ସ୍ତରରେ ପୁଣିଥରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି । ରିୋପାର୍ଟ ଅନୁସାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଏକ ୯ମାସର ଶିଶୁ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛି । ଗତ ୨୨ ତାରିଖରେ ଶିଶୁଟିର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟରେ ଶିଶୁଟି ସଂକ୍ରମିତ ଥିବା ଜଣାପଡିଥିଲା ।
ତେବେ ଶିଶୁର ଅବସ୍ଥା ଏବେ ସ୍ଥିର ରହିଛି ଏବଂ ଚିକିତ୍ସା ପାଇଁ କଲାସିପାଲ୍ୟାର ବାଣୀ ବିଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୧ରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ନିଶ୍ଚିତ କରିଥିଲେ ଯେ ରାଜ୍ୟରେ କରୋନା ସଂକ୍ରମଣଜନିତ ୧୬ଟି ସକ୍ରିୟ ମାମଲା ରହିଛି । ଅଛି । ପ୍ରକାଶ, ମେ ୧୯ସୁଦ୍ଧା ଦେଶରେ ମୋଟ କରୋନା ମାମଲା ୨୫୭ ରହିଥିଲା । ଭାରତ ଏବଂ ବିଶ୍ୱସ୍ତରରେ ଏବେ କରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ ଦ୍ରୁତଗତିରେ ସଂକ୍ରମିତ ହେଉଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।