ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୋଳି ଖେଳୁଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କୋଭିଡ୍ର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ଆସିବ । କାରଣ ଭାଇରସ୍ ତା’ର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲ୍ଟା ଓ ତାର ସବ୍ ଭାରିଏଣ୍ଟ ଆସିଲା, ତାପରେ ଓମିକ୍ରନ ଏବଂ ତାର ସବ୍ ଭାରିଏଣ୍ଟ ଆସିଛି । ଏମିତି ବି ଏବେ ଅନେକ ନୂଆ ଭାରିଏଣ୍ଟ ଥିବା ଆମେ ଜାଣି ନଥାଇ ପାରୁ । ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଏଣ୍ଟ ଆସିପାରେ । ବର୍ତ୍ତର୍ମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାଣ୍ଡେମିକ ବା କୌଣସି ଭାରିଏଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଛି । ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ରାଜ୍ୟରେ ଆକ୍ଟିଭ କେସ୍ ମଧ୍ୟ ତଳମୁହାଁ ରହିଛି । କିନ୍ତୁ ବେସ୍ ଲାଇନ୍ ଆସିବା ଦରକାର । ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ୫ରୁ ୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଟ୍ରାନ୍ସମିଶନ ବହୁତ ଅଧିକ ରହିଛି । ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।