26.1 C
Bhubaneswar
Tuesday, September 17, 2024
Homeଓଡିଶାପତ୍ନୀହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ; ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ ଜେଲ୍‌

ପତ୍ନୀହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ; ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ ଜେଲ୍‌

ଭୁବନେଶ୍ୱର:ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟ ଆଜି ସଜା ଶୁଣାଇଛନ୍ତି । ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ତା’ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜୋରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟକହିଛନ୍ତି । ସେହିପରି ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ୍‌ରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନଯୋଗ୍ୟ ରାମମୂର୍ତ୍ତିଙ୍କ ସ୍ତ୍ରୀ ଶଶୀରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଖାରବେଳ ନଗରର ଏମ୍‌ଏଲଏ କଲୋନୀରେ ଥିବା ଘରୁ ତାଙ୍କ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା । ସେତେବେଳେ ସେ ଗର୍ଭବତୀ ଥିଲେ । ଏହି ଘଟଣାରେ ପ୍ରଥମେ ଅପମୃତ୍ୟୁ ମାମଲା ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା ।

୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ସକାଳେ ରାମମୂର୍ତ୍ତି ଗମାଙ୍ଗୋ ପୁଲିସକୁ ଖବର ଦେଇଥିଲେ ଯେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି । ସେହିଦିନ ସକାଳ ୯ଟାରେ ତାଙ୍କ ସ୍ତ୍ରୀ ବାଥରୁମ୍ ଭିତରେ ଆତ୍ମହତ୍ୟା କରିଥିବା ରାମମୂର୍ତ୍ତି ପୁଲିସକୁ କହିଥିଲେ । ସେ ଖବରକାଗଜ ପଡୁଥିଲା ବେଳେ ଅଚାନକ ଏକ ଚିତ୍କାର ଶୁଣାଯାଇଥିଲା । ସେ ଏବଂ ତାଙ୍କର ରେଷେୟା ନୀଳ ଏବଂ ୨ ସହଯୋଗୀ ବାଥରୂମ୍ ନିକଟରୁ ଦୌଡିଯାଇଥିଲେ ।

ବାଥରୁମ୍ ଭିତରୁ ସେଠାରୁ ଧୂଆ ବାହାରୁ ଥିଲା । ରାମମୂର୍ତ୍ତି ତାଙ୍‌କର କିଛି ସହଯୋଗୀଙ୍କ ସହ ମିଶି ଝରକା ବାଟେ ଶଶୀରେଖାଙ୍କୁ ବଞ୍ଚାଇବା ପାଇଁ ପାଣି ଫୋପାଡିଥିଲା ବେଳେ ଅନ୍ୟ କିଛି ସହଯୋଗୀ ବାଥରୂମ୍ କବାଟକୁ ଧକା ମାରି ଏହା ଭିତକୁ ପଶିଥିଲେ । ହେଲେ ତଦନ୍ତରୁ ଜଣାପଡିଥିଲା କବାଟର ବୋଲ୍ଟକୁ କିଛି ହୋଇ ନାହିଁ । ଏହା ମନଗଢା ଥିଲା ବୋଲି ପୁଲିସକୁ ସନ୍ଦେହ ହୋଇଥିଲା । ସେହିପରି ବାଥରୁମ୍‌ରେ ଥିବା ସାମଗ୍ରୀର ଗୁଡିକ ମଧ୍ୟ କିଛି ବି ଏପଟ ସେପଟ ହୋଇ ନ ଥିଲା । କୁହାଯାଉଥିଲା କଷ୍ଟ ସମ୍ଭାଳି ନ ପାରି ଶଶୀକଳା ବୋଧହୁଏ ଝରକା କାଚ ଭାଙ୍ଗି ଦେଇଥାଇ ପାରିଥାନ୍ତି ।

ହେଲେ ତାଙ୍କ ହାତରେ ସେଭଳି କୌଣସି କ୍ଷତ ଚିହ୍ନ ନଥିଲା । ତେଣୁ ସେ ଝରକା ଭାଙ୍ଗି ନଥିବା ନେଇ ପୁଲିସ ଅନୁମାନ କରିଥିଲା । ସେହିପରି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଥିଲା ତାଙ୍କ ମୁଣ୍ଡରେ ଏକ କ୍ଷତ ହୋଇଛି । ଯାହା ଆତ୍ମହତ୍ୟା ଜନିତ ନଥିଲା । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ସମୟରେ ସ୍ତ୍ରୀଙ୍କ ମୁଣ୍ଡଫାଟିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଅନ୍ୟପକ୍ଷରେ ମଧ୍ୟ ଏହା ଆତ୍ମହତ୍ୟା ଜନିତ ଜଳିବା ନୁହେଁ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ସେହିପରି ଏସ୍‌ଏଫ୍‌ଏସ୍‌ଏଲ୍‌ର ବିଭିନ୍ନ ପରୀକ୍ଷା ମଧ୍ୟ ହତ୍ୟା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଘଟଣା ସମୟରେ ତାଙ୍କର କୌଣସି ସହଯୋଗୀ ଘର ଭିତରେ ନଥିଲେ । ବରଂ ରାମମୂର୍ତ୍ତି ଘର ଭିତରେ ଏକୁଟିଆ ରହିଥିଲେ । ଏହା ଜଣାପଡ଼ିବା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପୁଲିସ ନିଶ୍ଚିନ୍ତ ହୋଇଥିଲା । ତଦନ୍ତ ଆଧାରରେ କିଶୋର ଚନ୍ଦ୍ର ପାଟଶାଣୀ ଖାରବେଳନଗର ଥାନାରେ ହତ୍ୟା ସମ୍ପର୍କିତ ଏତଲା ଦେଇଥିଲେ ।

୧୯୯୫ ମସିହା ସେପ୍ଟେମ୍ବର ୧ ତାରିଖରେ ପୁଲିସ ଏତଲା ରୁଜୁ କରିଥିଲା । ୧୯୯୬ ଅଗଷ୍ଟ ୨୨ ତାରିଖରେ ପୁଲିସ ଚାର୍ଜସିଟ୍ ଫାଇଲ କରିଥିଲା । ରାମମୂର୍ତ୍ତି ଗମାଙ୍ଗଙ୍କର ଏଥିରେ ସଂପୃକ୍ତି ଥିବା କଥା ସାମ୍ନାକୁ ଆସିଥିଲା । ଘଟଣା ଘଟିବାର ୨୮ ବର୍ଷ ପରେ କୋର୍ଟରେ ଏହା ପ୍ରମାଣିତ ମଧ୍ୟ ହୋଇଛି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking