ଚେନ୍ନାଇ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଆଉ ଏକ ବିବାଦ ଯୋଡ଼ି ହୋଇଯାଇଛି । ଏହି ଯାତ୍ରା ଅବସରରେ ଶୁକ୍ରବାର ରାହୁଲ କନ୍ୟାକୁମାରୀରେ କାଥେଲିକ୍ ପାଦ୍ରୀମାନଙ୍କୁ ଭେଟିଥିଲେ । ଏହି ଅବସରରେ ସେ ପଚାରିଥିଲେ, ଯିଶୁଖ୍ରୀଷ୍ଟ ଈଶ୍ୱରଙ୍କ ଏକ ରୂପ କି? ଏହାର ଜବାବରେ ତାମିଲ ପାଦ୍ରୀ ଜର୍ଜ ପୋନୈୟା କହିଥିଲେ, ‘ଇଶା ମସିହା ହିଁ ଅସଲ ଭଗବାନ ।’ ପୋନୈୟା ହିନ୍ଦୁଧର୍ମରେ ପୂଜା ପାଉଥିବା ନିରାକାର ଶକ୍ତିଙ୍କୁ ଈଶ୍ୱର ମାନିବାକୁ ଅସ୍ୱୀକାର କରିବା ସହ କହିଥିଲେ- ଭଗବାନ ନିଜକୁ ଅସଲ ମନୁଷ୍ୟ ରୂପରେ ପେଶ୍ କରିଥାନ୍ତି, ଶକ୍ତି ରୂପରେ ନୁହେଁ । ଏଥିପାଇଁ ଆମେ ଭଗବାନଙ୍କୁ ବ୍ୟକ୍ତି ଭାବେ ଦେଖିପାରିଥାଉ ।’ ଏହି ବୈଠକର ଭିଡିଓ ଭାଇରାଲ୍ ହେବାପରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।
ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା କହିଛନ୍ତି, ଏହା ଭାରତ ଯୋଡ଼ୋ ନୁହେଁ ରାହୁଲ ଗାନ୍ଧୀଙ୍କ ‘ଘୃଣା ଯୋଡ଼ୋ ଯାତ୍ରା’ । ହିନ୍ଦୁମାନଙ୍କୁ ଧମକ ଦେଇଥିବା ଏବଂ ଭାରତ ମାତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପୋନୈୟାଙ୍କ ପରି ବ୍ୟକ୍ତିଙ୍କୁ ରାହୁଲ ଆଜି ଭାରତ ଯୋଡ଼ା ଯାତ୍ରାର ପୋଷ୍ଟର୍ ବୟ କରିଛନ୍ତି। କଂଗ୍ରେସର ହିନ୍ଦୁବିରୋଧୀ ପୁରୁଣା ଇତିହାସ ରହିଛି ବୋଲି ପୁନାୱାଲ୍ ଅଭିଯୋଗ କରିଛନ୍ତି । ଏହାର ଜବାବରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଭାଇରାଲ୍ ଅଡିଓରେ ଯାହା ରେକର୍ଡ କରାଯାଇଛି, ତାର ଏହି ବିଷୟ ସହ କୌଣସି ସମ୍ପର୍କ ନାହିଁ । ଏହା ବିଜେପିର ଷଡ଼ଯନ୍ତ୍ର । ଭାରତ ଯୋଡ଼ୋ ଯାତ୍ରାର ସଫଳତାରେ ବିଜେପି ଈର୍ଷାନ୍ୱିତ ହୋଇପଡ଼ିଛି ବୋଲି ସେ କହିଛନ୍ତି ।