ଭୋପାଳ: ହିଜାବ୍ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ପିନ୍ଧିବା ସପକ୍ଷରେ ରାୟ ଶୁଣାଇଥିବାବେଳେ ଏହି ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । ତେବେ ମଧ୍ୟପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ଜଣେ ମୁସଲିମ୍ ଛାତ୍ରୀ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ନମାଜ ପାଠ କରୁଥିବାର ଦୃଶ୍ୟ ବିବାଦୀୟ ସ୍ଥିତି ସୃଷ୍ଟି କରିଛି ।
ଡଃ ହରିସିଂହ ଗୌଡ ସାଗର ବିଶ୍ୱବିଦ୍ୟାଳୟରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇବାପରେ ଏହାର ତଦନ୍ତ କରିବାକୁ ଏକ କମିଟି ଗଠନ କରାଯାଇଛି ବୋଲି କୁଳପତି ନୀଳିମା ଗୁପ୍ତା ସୂଚନା ଦେଇଛନ୍ତି । ଯଦିଓ ଏହି ବିଶ୍ୱବିଦ୍ୟାଳୟରେ ଡ୍ରେସ୍କୋଡ୍ ପ୍ରଚଳନ କରାଯାଇନାହିଁ, ତଥାପି ଛାତ୍ରଛାତ୍ରୀମାନେ ଶାଳୀନତାର ସହ ପୋଷାକ ପରିଧାନ କରିବାକୁ କୁହାଯାଇଛି ।