ହାଇଦ୍ରାବାଦ: ତେଲେଙ୍ଗାନାରେ ବିଗତ କିଛିଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାବେଳେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜିଠୁ ତିନିଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏ ସମ୍ପର୍କିତ ସ୍ଥିତି ସମୀକ୍ଷା କରିବାପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।
ବିଗତ କିଛିଦିନ ମଧ୍ୟରେ ଜୟଶଙ୍କର, ମାଞ୍ଚେରିଆଲ, ନିର୍ମଲ, ନିଜାମାବାଦ, ପେଦାପଲ୍ଲୀ ଓ ଆଦିଲାବାଦ ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି । ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦୁଇଦିନ ଉପରୋକ୍ତ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ଛୁଟି ନେବାକୁ ବାରଣ କରାଯାଇଛି ।