ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକୁକୁ ପଛରୁ ଏକ କଣ୍ଟେନର ଟ୍ରକ ଧକ୍କା ଦେବା ଫଳରେ କଣ୍ଟେନର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୂତାବକ ଆଜି ସକାଳ ସମୟରେ ଓଡ଼ି-୦୫-ଏଆର-୪୯୦୧ ଆଇରନ ବୋଝେଇ ଟ୍ରକଟି ବ୍ରଜନଗର ନିକଟ ରାସ୍ତା କଡରେ ଛିଡା ହୋଇଥିବା ବେଳେ ପାଣିକୋଇଲି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର(ଟିଏସ- ୦୭ -ୟୁଇ-୮୬୯୮) ଗାଡିଟି ହାଇଦ୍ରାବାଦରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ଆଇରନ ଟ୍ରକର ପଛକୁ ଜୋରରେ ଧକ୍କା ଦେଇଥିଲା।
ଫଳରେ କଣ୍ଟେନର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ଆଇରନ ବୋଝେଇ ଟ୍ରକ ପଛରେ ପଶି ପସିରହିଥିଲା।ଫଳରେ କଣ୍ଟେନର ଚାଳକ ଗାଡି ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ସହ ତାଙ୍କର ପ୍ରାଣହାନି ଘଟିଥିଲା। ଘଟଣା ସ୍ଥଳରେ ଯାଜପୁର ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କଣ୍ଟେନର ଡୋର କାଟି ଗାଡି ଭିତରୁ ଡ୍ରାଇଭରଙ୍କ ମୃତ ଦେହ ବାହାରକରି ପାଣିକୋଇଲି ପୁଲିସ ଓ ରାଜପଥ ପାଟ୍ରୋଲିଂ ପୁଲିସ ସହଯୋଗରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ନିମନ୍ତେ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦ୍ୱୟକୁ ଜବତ କରିଥିବା ଜଣାପଡିଛି।ମୃତକ ଡ୍ରାଇଭର ଜଣକ ହାଇଦ୍ରାବାଦ ଅଂଚଳର ଝୁନମୁନ ଚୌହାନ(୪୭) ବୋଲି ପୁଲିସ ସୂଚନା ଦେଇଛି।