31.1 C
Bhubaneswar
Tuesday, July 2, 2024
Homeଓଡିଶାନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀ ରାସ୍ତା କଡ଼ରେ ପକାଇଲେ ଗଣିବେ ତଣ୍ଡ

ନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀ ରାସ୍ତା କଡ଼ରେ ପକାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀ ରାସ୍ତା କଡ଼ ଏବଂ ସର୍ବସାଧାରଣ ସ୍ଥାନରେ ପକାଇଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନେବ କଡା ପଦକ୍ଷେପ । ସହରର ପରିମଳ ଏବଂ ବାସୋପଯୋଗିତାକୁ ଆଗେଇ ନେବା ସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ଦୃଢ କରିବା ଭିତିରେ ଭୁବନେଶ୍ୱର ମହାନଗର ନିଗମ ନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀର ଉତ୍ତମ ପରିଚାଳନାକୁ ଗୁରୁତ୍ୱ ଦେଇଛି । ଆଜି ଅପରାହ୍ନରେ ହୋଇଥିବା ଏକ ସ୍ୱତନ୍ତ୍ର ଆଲୋନଚାରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ବ୍ୟକ୍ତିଗତ, ଆନୁଷ୍ଠାନିକ, ବିଭାଗୀୟ ଏବଂ ଘରୋଇ ସଂସ୍ଥା ସମେତ ସମସ୍ତଙ୍କ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ । ସହରର ରାସ୍ତା, ଗଛମୂଳ, ଡ୍ରେନ ଇତ୍ୟାଦିରେ ନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀ ଜମା କରିବା ଦେଖାଯାଉଛି ।

ଏପରିକି ବିଭିନ୍ନ ବିଭାଗୀୟ ଅଧିକାରୀ ନିଜର ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଅବଶିଷ୍ଟ ବର୍ଜ୍ୟକୁ ଛାଡି ଦେଇ ଚାଲିଯାଉଛନ୍ତି ଯାହା ସେମାନଙ୍କର ବେପରୁଆ ମନୋଭାବକୁ ଦର୍ଶାଉଛି । ଏହା ସାଙ୍ଗକୁ ରାସ୍ତା କଡରେ ଭଙ୍ଗାରୁଜା ଗାଡି, ଠେଲା, ଭଙ୍ଗା ଖୁଣ୍ଟି, ଦୋକାନ ମାଡି ଆସିବା, ସିମେଣ୍ଟ ପିଣ୍ଢି ନିର୍ମାଣ ଇତ୍ୟାଦି ପରିମଳର ପ୍ରତିବନ୍ଧକ ହୋଇଛି । ପୂର୍ବରୁ ବିଏମ୍‌ସି ପକ୍ଷରୁ ସଚେତନତା କରାଯିବା ସାଙ୍ଗକୁ ଉଲ୍ଲଘଂନକାରୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ସୂଚନାଯୋଗ୍ୟ କି, କେତେକ ଖୋଲା ଘରୋଇସ୍ଥାନରେ ମଧ୍ୟ ଏହି ରୂପ ଦେଖିବାକୁ ମିଳୁଛି ଯାହା ଜନ ସାଧାରଣଙ୍କ ପାଇଁ ଅସ୍ୱାସ୍ଥ୍ୟକର ଏବଂ ସହରର ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛି ।

ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ସାଙ୍ଗକୁ ଓଡ଼ିଶା ମୁନିସିପାଲ୍ କର୍ପୋରେସନ୍ ଅଧିନିୟମ ୨୦୦୩ର ଭାଗ ୪୧୫ ଏବଂ ୬୭୪କୁ ଭିତିକରି ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯିବ । ଆଜିର ନିଷ୍ପତି କ୍ରମେ ସମସ୍ତ ଅଞ୍ଚଳରେ ସଚେତନତା କରାଯିବା ସାଙ୍ଗକୁ ଯେ କୌଣସି ବ୍ୟକ୍ତି ବା ବିଭାଗୀୟ ଅଧିକାରୀଙ୍କ ହେତୁ ନିର୍ମାଣ ଓ ଭଙ୍ଗାରୁଜା ସାମଗ୍ରୀ ପଡିରହିବାର ଦେଖାଯାଏ, ବିଏମ୍‌ସି ତରଫରୁ ସେମାନଙ୍କୁ ନୋଟିସ କରାଯାଇ ଜୋରିମାନା କରାଯିବ । କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ଏହି ପ୍ରକାର ବର୍ଜ୍ୟବସ୍ତୁର ନିଷ୍କାସନ କରିବାକୁ ଚାହୁଁଥାନ୍ତି, ତେବେ ଏହି ଦେୟଯୁକ୍ତ ସେବା ପାଇଁ ସେମାନେ ‘ସଫା ଭୁବନେଶ୍ୱର ଆପ୍‌’ ମାଧ୍ୟମରେ ଯୋଗାଯୋଗ କରନ୍ତୁ ଏବଂ ଏଣେତେଣେ ବର୍ଜ୍ୟ ପକାଇବାରୁ ନିବୃତ ରହିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ସଫା ଆପ୍ ଜରିଆରେ ନିଜର ସବୁଜ ବର୍ଜ୍ୟ ମଧ୍ୟ ନିଷ୍କାସନ କରାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking