ଦେବଗଡ଼: ବିକାଶରେ ବାଧକ ସାଜିବାଜୁ ଉଦ୍ୟମ ଚଳାଇଛି ଅଦୃଶ୍ୟ ସଂଗଠନ । ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରାଇବା ପଛର ନେତୃବୃନ୍ଦଙ୍କୁ ମିଳୁଛି ଚେତାବନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ଫାଣ୍ଡି ଅଞ୍ଚଳରେ । ସୂଚନା ଅନୁଯାୟୀ, ଲଇମୁରା ଫାଣ୍ଡି ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷି, ଡ଼ିମିରିକୁଦା ଓ ଝାରମୁଣ୍ଡା ଆଦି ୫ ଟି ପଞ୍ଚାୟତରେ ଟେଲିଫୋନ୍ ଟାୱାର ନଥିବାରୁ ଉପରୋକ୍ତ ୫ ପଞ୍ଚାୟତ ଟେଲିସେବାରୁ ବଞ୍ଚିତ ରହିଛନ୍ତି । ଡିଜିଟାଲ ଇଣ୍ଡିଆ ନାରା ଏହି ସବୁ ଅଞ୍ଚଳବାସୀଙ୍କ ପାଇଁ ତାତ୍ସଲ୍ୟ ସାଜିଛି । ନେଟୱାର୍କ ସମସ୍ୟା କାରଣରୁ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପୁଲିସ, ଦମକଳ ଭଳି ଜରୁରିକାଳିନ ସୁବିଧା ଠାରୁ ସମସ୍ତ ଅନଲାଇନ କାର୍ଯ୍ୟରୁ ବଞ୍ଚିତ ରହିଥିଲେ ଅଞ୍ଚଳର ହଜାର ହଜାର ଜନସାଧାରଣ । ଦେବଗଡ଼ ଜିଲ୍ଲାର ଆଦିବାସୀ ବହୁଳ ଉପରୋକ୍ତ ଅଞ୍ଚଳ ବିକାଶଠାରୁ ବହୁ ଦୂରରେ ଥିବା କାରଣରୁ ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୫ ପଞ୍ଚାୟତବାସୀଙ୍କୁ ଟେଲିଫୋନ ନେଟୱାର୍କ ସୁବିଧା ନମିଳିବା ଯାଏଁ ଭୋଟବର୍ଜନ ନିଷ୍ପତି ନେଇ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ କରି ନଥିଲେ । ତେବେ ଟେଲିକମ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ଦାବିକୁ ସମ୍ମାନଜଣାଇ ଏକ ଘରୋଇ ଟେଲି କମ୍ପାନୀ ସହାୟତାରେ ଅଞ୍ଚଳରେ ଟେଲିଫୋନ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ନାମାଙ୍କନର ଦ୍ୱିତୀୟ ପର୍ଯ୍ୟାୟରେ ଅଞ୍ଚଳବାସୀ ନାମାଙ୍କନପତ୍ର ଦାଖଲ କରିଥିଲେ । ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ ପୂର୍ବକ ଝରାଗୋଗୁଆଠାରେ ଟାୱାର ନିର୍ମାଣ ପାଇଁ ପ୍ରଥମେ ଭୂମିପୂଜା କରିବା ସହ ଗତକାଲି ଟାୱାର ନିର୍ମାଣର ସମସ୍ତ ସାମଗ୍ରୀ ଓହ୍ଲାଇଥିଲେ । ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ସମସ୍ୟା ସମାଧାନ ହେବା ଦେଖି ଅଞ୍ଚଳରେ ଖୁସିର ବାତାବରଣ ଦେଖା ଦେଇଥିଲା । ତେବେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଅଦୃଶ୍ୟ ଭାବେ ଗତକାଲି ରାତିରେ ଭୋଜପୁର-ଲଇମୁରା – ବଣେଇ ରାସ୍ତାର ବୁଢ଼ୀକୁଟେନ – ଡ଼ିମିରିକୁଦା ଛକ ନିକଟରେ ଗଛକାଟି ରାସ୍ତାରେ ପକାଇବା ସହ ରାସ୍ତା କଡରେ ଏକ ଗଛରେ ପୋଷ୍ଟର ଟାଙ୍ଗୀ ଟାୱାର ସ୍ଥାପନକୁ ବିରୋଧ କରିବା ସହ ଟାୱାର ସ୍ଥାପନ ପାଇଁ ପ୍ରଚେଷ୍ଟା କରୁଥିବା ଅଞ୍ଚଳର ନେତୃବୃନ୍ଦ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି । ସୂଚନାପାଇ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ପୁଲିସ ବାହିନୀ ଉକ୍ତ ପୋଷ୍ଟର ଖୋଲିବାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଏସ୍ପି ରାଜକିଶୋର ପାଇକରାୟ ଓ ନିର୍ବାଚନ ପର୍ଯ୍ୟବେକ୍ଷକ ଚନ୍ଦ୍ରମଣି ଗଡ଼ନାୟକ ଉପରୋକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଉପରୋକ୍ତ ୫ ପଞ୍ଚାୟତରେ ମତଦାନ କେନ୍ଦ୍ରଗୁଡିକର ବାସ୍ତବସ୍ଥିତି ଅନୁଧ୍ୟାନ କରିଥିଲେ ।