ନୂଆଦିଲ୍ଲୀ: ରାଜ୍ୟ ବିଭାଜନ ସତ୍ତ୍ୱେ ସଂରକ୍ଷିତ ବର୍ଗରେ ଚାକିରି କରିଥିବା ବ୍ୟକ୍ତି ନୂଆ ରାଜ୍ୟରେ ପୂର୍ବରୁ ମିଳିଥିବା ସୁବିଧା ସୁଯୋଗରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୯୯୯ରେ ଏସ୍ସି ବର୍ଗରେ ରାଞ୍ଚିରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ପଙ୍କଜ କୁମାରଙ୍କ ଏକ ଆଦେବନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିହାରରୁ ବିଭାଜିତ ହୋଇ ୨୦୦୦ରେ ନୂଆ ରାଜ୍ୟ ହେବା ପରେ ମଧ୍ୟ ପଙ୍କଜ କୁମାର ଝାଡ଼ଖଣ୍ଡରେ କାର୍ଯ୍ୟ ଜାରି ରଖିଥିଲେ । ତେବେ ୨୦୦୮ରେ ଏସ୍ସି ପ୍ରାର୍ଥୀ ଭାବେ ରାଜ୍ୟ କମ୍ବାଇନ୍ଡ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ତାଙ୍କୁ ଜଣେ ପ୍ରବାସୀ ଆଧାରରେ ନିଯୁକ୍ତି ମିଳିନଥିଲା । ଏହାଛଡ଼ା ସର୍ଭିସ୍ ବୁକ୍ରେ ସେ ପାଟନାର ମୂଳ ନିବାସୀ ଦର୍ଶାଯାଇଥିବାରୁ ତାଙ୍କୁ କୌଣସି ସଂରକ୍ଷଣ ସୁବିଧା ସୁଯୋଗ ମଧ୍ୟ ଦିଆଯାଇନଥିଲା । ଏହାକୁ ଚ୍ୟାଲେଞ୍ଜ୍ କରି ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ମାମଲା ବିଚାର କରି ବିଚାରପତି ୟୁୟୁ ଲଲିତ ଓ ଅଜୟ ରସ୍ତୋଗୀଙ୍କ ବେଞ୍ଚ୍୍ ୨୦୦୮ରେ ମନୋନୀତ ହୋଇଥିବା ପଦରେ ପଙ୍କଜଙ୍କୁ ନିଯୁକ୍ତି ଦେବା ସହ ବରିଷ୍ଠତା ଭିତ୍ତିରେ ଦରମା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ ପାଇଁ ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବେଞ୍ଚ୍ ଦର୍ଶାଇଥିଲେ, ପଙ୍କଜ ୧୯୭୪ରେ ହଜାରିବାଗ୍ରେ ଜନ୍ମଗ୍ରହଣ କରିଥିବାରୁ ୨୦୦୦ ରାଜ୍ୟ ବିଭାଜନ ପରେ ଏହା ଝାଡ଼ଖଣ୍ଡ ଅଧୀନରେ ଆସିଥିଲା ଏବଂ ସେ ଉଭୟ ବିହାର ଓ ଝାଡ଼ଖଣ୍ଡ ଦ୍ୱାରା ସ୍ୱୀକୃତ ଏସ୍ସି ବର୍ଗର ଆସୁଥିବା ଜାତିରେ ଆସୁଛନ୍ତି । ତେଣୁ ତାଙ୍କୁ ପୂର୍ବରୁ ମିଳୁଥିବା ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇ ପାରିବ ନାହିଁ ।