20.1 C
Bhubaneswar
Tuesday, November 26, 2024
Homeଓଡିଶାମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

ମାର୍ଚ୍ଚ ୧ ତାରିଖରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ

“ନବୀନ ହଟାଅ, ଓଡ଼ିଶା ବଂଚାଅ”
ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ଦୀର୍ଘ ୨୪ ବର୍ଷର ନବୀନ ସରକାରରେ ଓଡ଼ିଶାର ଯୁବ ସମାଜ ଉପେକ୍ଷିତ, ଲୁଣ୍ଠିତ ଏବଂ ଅତ୍ୟାଚାରିତ । ଯୁବ ସମାଜର କର୍ମସଂସ୍ଥାନ ପାଇଁ ନବୀନ ସରକାରର କୌଣସି ସ୍ୱତନ୍ତ୍ର ଏବଂ ଉପଯୁକ୍ତ ଯୋଜନା ନାହିଁ । ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତି ଦେବା କଥା, ଦୁଃଖର କଥା ଏହକିଯେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ଏବେ ୧୦ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି ।
ନିଯୁକ୍ତି ବା କର୍ମସଂସ୍ଥାନ ନ ମିଳିବାରୁ ଓଡ଼ିଶାର ଶିକ୍ଷିତ ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲ୍ଲା ଗଞ୍ଜାମରୁ ଲକ୍ଷ ଲକ୍ଷ ଯୁବକ ସୁରାଟ ଯାଇ ଜୀବନ ଜୀବିକା ନିର୍ବାହ ପାଇଁ ସଂଗ୍ରାମ କରୁଛନ୍ତି । ଆନ୍ଧ୍ରର ଇଟାଭାଟିର ମାଲିକ ଓଡ଼ିଆ ଯୁବକଙ୍କୁ ପଶୁଭଳି ଖଟାଉଛନ୍ତି । ପ୍ରତିବାଦ କଲେ ହାତ ହାଣି ଦେଉଛନ୍ତି । ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି ଯେଉଁ ଘରୋଇ ଶିଳ୍ପ ହୋଇଛି, ସେଥିରେ ବିଶେଷ କରି ସ୍ଥାନୀୟ ବା ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ଉଦାସୀନତା ପ୍ରଦର୍ଶନ ହୋଇଛି । ଘରୋଇ ଶିଳ୍ପ ଓ ନବୀନ ସରକାରର ମଧୁଚିନ୍ଦ୍ରିକାରେ ଓଡ଼ିଶାର ଯୁବକ ଯୁବତୀମାନଙ୍କର ସ୍ୱାର୍ଥ ଅବହେଳିତ । ଶିଳ୍ପାଂଚଳର ଯୁବକ ଯୁବତୀମାନେ ଧୂଳି,ଧୂଆଁ, ଧୂଷର ଯୋଗୁଁ ଏକ ବିପଦ ସଂକୁଳ ପରିବେଶରେ ଜୀବନ ଯାପନ କରୁଛନ୍ତି, ରୋଗାଗ୍ରସ୍ତ ହେଉଛନ୍ତି । ସେମାନଙ୍କର ଅଂଚଳରୁ ଖଣିଜ ସମ୍ପଦ ଲୁଟ ହେଉଛି । ମାତ୍ର ସେଠାରେ ଅବସ୍ଥାପିତ ଘରୋଇ ଶିଳ୍ପରେ ନିଯୁକ୍ତ ପାଇଁ ସ୍ଥାନୀୟ ଯୁବକ ଯୁବତୀଙ୍କର ଅଧିକାର ନାହିଁ ।
ନିର୍ବାଚନ ଆସିଲେ ନବୀନ ସରକାର ଯୁବ ସମାଜକୁ ଭୂଆଁ ବୁଲାଇବାକୁ ନୂଆ ଯୋଜନା ଘୋଷଣା କରନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ “ବିଜୁ ଯୁବ ବାହିନୀ” ଘୋଷଣା ହେଲା । ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ବ୍ୟୟ କରି ନବୀନ ସରକାର ଦଳୀୟ କର୍ମୀ ପୋଷଣ କଲେ । ଏବେ ସେହି “ବିଜୁ ଯୁବବାହିନୀ” ଯୋଜନା ଆଉନାହିଁ । ୨୦୨୪ ନିର୍ବାଚନରେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଯେଉଁ “ସ୍ୱୟମ” ଯୋଜନା ପ୍ରଣୟନ କରିଛନ୍ତି ତାହା କେବଳୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ । ଖୁବ ଶୀଘ୍ର ଆଚରଣ ବିଧି ଲାଗୁ ହେଉଥିବାରୁ ଏହି ଯୋଜନାରେ ଅଧିକ ଯୁବକ ଯୁବତୀ ସାମିଲ ହୋଇପାରିବେ ନାହିଁ ଏବଂ ନିର୍ବାଚନ ପରେ “ବିଜୁ ଯୁବାହିନୀ” ପରୀ “ସ୍ୱୟମ” ଯୋଜନା ବି ନଥିବ । ଏହି ଯୋଜନାର ଅବଧି ମାତ୍ର ୨ବର୍ଷ ସମୟ ରଖାଯାଇଛି । ୨୦୨୪ ନିର୍ବାଚନରେ ନବୀନ ସରକାରର ଅନ୍ତ ଘଟିବ । ତେଣୁ ଏହି ଯୋଜନାର ଭବିଷ୍ୟତହିଁ ନାହିଁ । ଯଦି ବେକାର ଯୁବକଯୁବତୀ ମାନଙ୍କ ପାଇଁ ଦରଦ ଥିଲା ତେବେ ୨୪ ବର୍ଷ ଭିତରେ ଏହି ଯୋଜନା ପ୍ରଣୟନ ହେଲାନାହିଁ କାହିଁକି?
ଓଡ଼ିଶାବାସୀଙ୍କୁ ସୁଶାସନର ପ୍ରତିଶ୍ରୁତି ଦେଇଥିବା ନବୀନ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ଆଜି ବିପର୍ଯ୍ୟସ୍ତ । ଓଡ଼ିଶାର ୩ ହଜାର ସ୍କୁଲରେ ମାତ୍ର ଜଣେ ଜଣେ ଶିକ୍ଷକ ରହିଛନ୍ତି । ବିଶେଷକରି ଡିଗ୍ରୀ କଲେଜ ଏବଂ ୟୁନିଭରସିଟି ମାନଙ୍କରେ ଅର୍ଦ୍ଧାଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଓଡ଼ିଶାର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ମାତ୍ର ୯ଟି ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି । ଜଣେ ଜଣେ କୁଳପତି ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟର ଦାୟୀତ୍ୱରେ ରହିଛନ୍ତି । ବିଶ୍ୱବିଦ୍ୟାଳୟ ମାନଙ୍କରେ ୬୦ ପ୍ରତିଶତ ପ୍ରଫେସର, ଆସୋସିଏ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ଖାଲି ପଡ଼ିଛି । ଏସବୁ ପଦବୀ ଗୁଡ଼ିକ ବର୍ଷ ବର୍ଷ ଧରି ପୂରଣ କରାଯାଉନାହିଁ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କେବଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ସେଲଫି ପଏଂଟ କରି ଛାତ୍ରମାନଙ୍କୁ ଫଟୋ ଉଠାଇବା ଏବଂ ରିଲ କରି ଛାଡ଼ିବାପାଇଁ ବାଧ୍ୟ କରାଯାଉଛି । ଏହା କଣ ଆମ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଭିତରେ ଅର୍ନ୍ତଭୁକ୍ତ କି? ଓଡ଼ିଶା ସରକାରୀ ସ୍ୱାସ୍ଥ୍ୟ ସେବାରେ ୧୫,୭୭୪ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୭୫୬୧ ପଦବୀ ଖାଲି ପଡ଼ିଛି । ରୋଗୀ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ଓଡ଼ିଶାରେ ଦିନକୁ ୯ଜଣ ମହିଳା ଦୁଷ୍କର୍ମର ଶିକାର । ବେବିନା, ଇତିଶ୍ରୀ, ମାଧବୀଲତା, ସ୍ମିତାରାଣୀ, ମମିତା ମେହେର ପ୍ରଭୃତିଙ୍କ ପରିବାରଙ୍କୁ ନବୀନ ସରକାର ନ୍ୟାୟ ଦେଇପାରିଲେ ନାହିଁ । ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ ଓ ନେତା ସଂପୃକ୍ତ ରହିଥିବାରୁ ଅପରାଧିଙ୍କୁ ସରକାର ଦଣ୍ଡିତ କରିପାରୁନାହାନ୍ତି । ଥାନା ବିଜୁ ଜନତା ଦଳର ସରକାରୀ କାର୍ଯ୍ୟାଳୟରେ ପରିଣତ ହୋଇଛି । ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନାହିଁ । ଓଡ଼ିଶାର ଚାଷୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଗରିବ । କୃଷକର ପରିବାରର ଆୟ ମାସକୁ ୫୧୧୨ ଟଙ୍କା ମାତ୍ର । ୪୬ ପ୍ରତିଶତ ଚାଷୀ ଶୋଚନୀୟ ଭାବେ ଋଣବୋଝରେ ହନ୍ତସନ୍ତ ।
ନବୀନ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ସରକାରୀ ଯୋଜନାରେ ୪୦ପ୍ରତିଶତ ପିସି ନିଆଯାଉଛି । ଖଣି ଦୁର୍ନତି, ପାଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଜମି ଦୁର୍ନୀତି, ଡାଲି ଦୁର୍ନୀତି, ବିଜୁଳି ଦୁର୍ନୀତି, ଛାତ୍ରବୃତି ଦୁର୍ନୀତି ପ୍ରଭୃତି ଦୁର୍ନୀତି ପାଇଁ ନବୀନ ସରକାର ଏକ ଦୁର୍ନୀତିଖୋର ସରକାର ଭାବେ ପରିଗଣିତ । ରାଜ୍ୟରେ ଦରଦାମ ବୃଦ୍ଧି ଉତ୍କଟ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଚେଷ୍ଟିତ ନାହାନ୍ତି । ଓଡ଼ିଶାରେ ଅସାଧୁ ବ୍ୟବସାୟୀ ଓ ନବୀନ ସରକାର ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଛି । ସୁତରାଂ ଓଡ଼ିଶାର ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧି ନବୀନ ସରାକାରକୁ ହଟାଇବା ପାଇଁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରାଯିବ । ଆମର ଆହ୍ୱାନ- “ନବୀନ ହଟାଅ, ଓଡ଼ିଶା ବଂଚାଅ” । ଏହି କାର୍ଯ୍ୟକ୍ରମରେ ଅଖିଳଭାରତ ଯୁବ କଂଗ୍ରେସ ସଭାପତି ସମ୍ମାନନୀ ଶ୍ରୀ ବି.ଭି. ଶ୍ରୀନିବାସ ଏବଂ ପ୍ରଦେଶ କଂଗ୍ରେସ ସଭାପତି ସମ୍ମାନନୀୟ ଶ୍ରୀ ଶରତ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଯୁବକମାନେ ନିଜର ହକ ଓ ନ୍ୟାୟ ଦାବିରେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଖିଳ ଭାରତ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମିଲିନ୍ଦ ଗୌତମ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ “ନବୀନ ହଟାଅ, ଓଡ଼ିଶା ବଂଚାଅ” ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସଂପାଦକ ସୁଦୀପ ସାମଲ, ରାଜ୍ୟ ସାଧାରଣ ସଂପାଦକ ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ପିସିସି ସାଧାରଣ ସଂପାଦକ ମନୋଜ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ସ୍ୱାଗତ କର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking