ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା)ର ନାମ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ କଂଗ୍ରେସ ଦଳ ଶନିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ସମଗ୍ର ଦେଶ ଜାଣେ ଯେ ମୋଦି ସରକାର ନାମ ପରିବର୍ତ୍ତନ କରିବାରେ ବିଶେଷଜ୍ଞ, କିନ୍ତୁ ଏବେ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ଏହା କେବଳ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ନୁହେଁ ବରଂ ମହାତ୍ମା ଗାନ୍ଧୀ ନାମକୁ ମଧ୍ୟ ଘୃଣା କରେ। କଂଗ୍ରେସ କହିଛି ଯେ ମହାତ୍ମା ଗାନ୍ଧୀଙ୍କ ନାମରେ ମନରେଗା ଯୋଜନା ଚାଲୁଥିଲା ଏବଂ ଗାଁ ଗହଳରେ ଲୋକମାନେ ଏହି ଯୋଜନାରେ ଦୀର୍ଘ ସମୟ ଧରି ନିଯୁକ୍ତି ପାଉଥିଲେ, କିନ୍ତୁ ଏବେ ଗାନ୍ଧୀ ଶବ୍ଦକୁ ହଟାଇ ସରକାର ଯୋଜନାର ନାମ ବାପୁ ରଖିଛନ୍ତି, ଯାହା ସ୍ପଷ୍ଟ କରିଛି ଯେ ସରକାର ଗାନ୍ଧୀ ନାମକୁ ମଧ୍ୟ ଘୃଣା କରନ୍ତି। ଏହି ସମୟରେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା)ର ନୂତନ ନାମକରଣକୁ ନେଇ କଂଗ୍ରେସ ଦଳର ନେତାମାନେ ତୀବ୍ର ବିରୋଧ କରିଛନ୍ତି। କଂଗ୍ରେସ ସାଂସଦ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା କହିଛନ୍ତି ଯେ ଯୋଜନାର ନାମ ପରିବର୍ତ୍ତନ କରିବା ବୁଝିବା ବାହାରେ। ଶନିବାର ସଂସଦ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା କହିଛନ୍ତି, “ମନରେଗାର ନାମ ପରିବର୍ତ୍ତନ କରିବା ପଛରେ ମୋଦି ସରକାରଙ୍କ ମାନସିକତା କ’ଣ ତାହା ମୁଁ ବୁଝିପାରୁନାହିଁ?”
ସେ ଆହୁରି କହିଛନ୍ତି, “ପ୍ରଥମେ, ଯୋଜନାରେ ପ୍ରଥମ ନାମ ମହାତ୍ମା ଗାନ୍ଧୀଙ୍କର ଏବଂ ଦ୍ୱିତୀୟତଃ, ଯେତେବେଳେ କୌଣସି ଯୋଜନାର ନାମ ପରିବର୍ତ୍ତନ କରାଯାଏ, ସେତେବେଳେ ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହୁଏ। ଏହି ଯୋଜନାର ନାମ ପରିବର୍ତ୍ତନ କଲେ କ’ଣ ଲାଭ ହେବ, ତାହା ବୁଝିବା ବାହାରେ।” ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନର ନାମ ପରିବର୍ତ୍ତନ କରିବା ଏବଂ କାର୍ଯ୍ୟ ଦିବସ ସଂଖ୍ୟା ବୃଦ୍ଧି କରିବା ପାଇଁ ଏକ ବିଲ୍ କୁ ମଞ୍ଜୁରୀ ଦେଇଛି। ଏହି ଯୋଜନାକୁ ଏବେ “ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା” ରଖାଯିବ ଏବଂ ଏହା ଅଧୀନରେ କାର୍ଯ୍ୟ ଦିବସ ସଂଖ୍ୟା ବର୍ତ୍ତମାନର 100 ଦିନରୁ 125 ଦିନକୁ ବୃଦ୍ଧି କରାଯିବ।










