ବଲାଙ୍ଗିର,(ଦେବାଶିଷ ମିଶ୍ର)- ଜନ ପ୍ରତିନିଧୀଙ୍କ ଗସ୍ତ କେବଳ ପରିଦର୍ଶନରେ ସିମିତ ନ ରହି ଲୋକସେବା ପାଇଁ ଉତ୍ସର୍ଗିକୃତ ହେବା ଆବଶ୍ୟକ । ବିଭିନ୍ନ ଜନ ପ୍ରତିନିଧୀ ଜନସାଧାରଣଙ୍କ ହକ ପାଇଁ ଲଢି ଅନେକ ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ, ଏସବୁ ଯୋଜନା ଥିବା ସତ୍ୱେ ଲୋକେ ଅନେକ ଯୋଜନା ର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ସମୟରେ ସରକାର ଓ ସରକାରୀ କଳ ଅପାରଗତା ଯୋଗୁଁ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରୁ ନ ଥିବା ଲକ୍ଷ କରାଯାଏ । ଏଭଳି ସ୍ଥିତିରେ ନିର୍ବାଚିତ ଜନ ପ୍ରତିନିଧୀଙ୍କ କୌଣସି ଅଂଚଳ ପରିଦର୍ଶନ କେବଳ ପରିଦର୍ଶନରେ ସିମିତ ନହୋଇ ସେ ଅଂଚଳ ଓ ଅଂଚଳବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇ ପାରିଲେ ଏହା ଲୋକସେବାରେ ପରିଣତ ହୁଏ ବୋଲି କହିବା ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମନହୀରା ଗ୍ରାମ ପରିଦର୍ଶନ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଗ୍ରାମବାସୀମାନେ କହିବା ସହ ଶ୍ରୀ ମିଶ୍ରଙ୍କ ଭୁରିଭୁରି ପ୍ରଶଂସା କରିଛନ୍ତି । ତେବେ ବିଗତ କିଛି ସମୟ ହେବ , ବିଧାୟକ ଶ୍ରୀ ମିଶ୍ର ତାଙ୍କ ପରିଦର୍ଶନରେ ସରକାରୀ କଳ ବଳ ଧରି ବିଭିନ୍ନ ଗ୍ରାମରେ ପହଞ୍ଚୁଥିବା ଦେଖା ଯାଉଛି । ଫଳରେ ଅଂଚଳବାସୀ ତାଙ୍କ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇ ପାରୁଥିବାବେଳେ ବିଧାୟକଙ୍କ ନିଆର ଢଙ୍ଗ ତାଙ୍କୁ ବେଶ ପ୍ରଭାବିତ କରୁଥିବା ଦେଖା ଯାଉଛି ।
ସେହିପରି ଗତକାଲି ବଲାଙ୍ଗିର ବ୍ଲକ ସ୍ଥିତ ମନହୀରା ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବ୍ଲକର ସମସ୍ତ ଅଧିକାରୀ ତଥା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ନେଇ ଗସ୍ତ କରିଥିଲେ । ଏହି ଗସ୍ତରେ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, ଏ.ବି.ଡି.ଓ ରାମଦତ୍ତ ଭୋଇ ଏବଂ ଉଭୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପହଞ୍ଚୁ ପହଞ୍ଚୁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ , ଗାଁରେ ଲୋକେ ଯେପରି ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ଗରିବଙ୍କ ବାସଗୃହ, ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ କାର୍ଡ, ବିଧବା ଭତ୍ତା ରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ ନ ରହିବେ ସେ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ଫଳରେ ବିଧବା, ବିକଳାଙ୍ଗ ଭତ୍ତା ପାଇଁ ସେଠାରେ ଉପସ୍ଥିତ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତୁରନ୍ତ ଘରକୁ ଘର ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ । ସେଠାରେ ସେ ବିଧବା, ବିକଳାଙ୍ଗ ଭତ୍ତା ପାଇଁ ୧୦ଜଣ ହିତାଧିକାରୀଙ୍କୁ ଚୟନ କରିଥିଲେ । ଠିକ ସେହିପରି ବ୍ଲକ ସ୍ତରୀୟ ଅଧିକାରୀମାନେ ଗରିବଙ୍କ ପାଇଁ ମାଗଣା ବାସଗୃହ ଯୋଜନାରେ ଆଉ କେହି ବାକି ରହିଯାଇଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସରକାରୀ ଯୋଜନା ଅନ୍ତର୍ଗତ ଗାଈ ଗୁହାଳ ପାଇଁ ମଧ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତାଛଡା ଗାଁ ରେ ପିଇବା ପାଣି ସମସ୍ୟା ଓ ଆବାସ ଯୋଜନାରେ ଯେଉଁମାନେ ଚୁଡାନ୍ତ ବିଲ ପାଇବାରୁ ବଞ୍ଚିତ ହୋଇଛନ୍ତ, ତା ଉପରେ ଶିଘ୍ର ଧ୍ୟାନ ଦେବାକୁ ଆରଡବ୍ଲୁଏସ୍ଏସ୍ ଯନ୍ତ୍ରୀ ପ୍ରଦୀପ ମହାପାତ୍ର ଓ ଉପସ୍ଥିତ । ଏବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କୁ ଉଦ୍ବୋଧନରେ ଦେବା ସମୟରେ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀଙ୍କୁ ସହୃଦୟତାର ସହ ସମସ୍ତ ହିଧିକାରୀମାନଙ୍କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏହି ଗସ୍ତରେ ଅଧିକାରୀଙ୍କ ବ୍ୟତିତ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ବରିଷ୍ଠ ନେତା ରାମ ମିଶ୍ର, ବ୍ଲକ ପ୍ରତିନିଧି କିଶୋର ସିଂନିନା, ସତ୍ୟବାନ ସାହୁ ତଥା ଗାଁର ଅନେକ ବରିଷ୍ଠ ନାଗରିକ, ପୂର୍ବତନ ସରପଞ୍ଚ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।