ନୂଆଦିଲ୍ଲୀ: ଚଳିତବର୍ଷ ପାଞ୍ଚଟି ରାଜ୍ୟରେ ବିଧାନସଭା ସମେତ ୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଚଳିତମାସ ୯ରେ ନୂଆଦିଲ୍ଲୀଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ରାଜସ୍ଥାନ ଓ ଛତିଶଗଡରେ ପୁଣି କ୍ଷମତା ବଜାୟ ରଖିବା ସହ ମଧ୍ୟପ୍ରଦେଶରେ ବିଜେପିକୁ, ତେଲେଙ୍ଗାନାରେ ବିଆରଏସ୍କୁ ଏବଂ ମିଜୋରାମରେ ଏମଏନ୍ଏଫ୍କୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।
ବୈଠକରେ ନିର୍ବାଚନ ରଣନୀତି ବ୍ୟତୀତ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ସେପ୍ଟେମ୍ବର ୧୬ରେ ହାଇଦ୍ରାବାଦରେ ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଜୁଲାଇ ୨୦ରେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି । କମିଟିରେ ୩୯ ସଦସ୍ୟ ଥିବାବେଳେ ୩୨ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଏବଂ ୧୩ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟଙ୍କୁ ସାମିଲ କରାଯାଇଛି ।