27.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶମୋଦୀଙ୍କ ରୋଡ୍ ସୋ’କୁ କଂଗ୍ରେସର ସମାଲୋଚନା

ମୋଦୀଙ୍କ ରୋଡ୍ ସୋ’କୁ କଂଗ୍ରେସର ସମାଲୋଚନା

ଅହମ୍ମଦାବାଦ: ଗୁଜରାଟ ବିଧାନସଭାର ୧୮୨ ମଧ୍ୟରୁ ୯୩ଟି ଆସନ ପାଇଁ ସୋମବାର ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଯାଇଛି । ତେବେ ମତଦାନ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ଅହମ୍ମଦାବାଦରେ ଆୟୋଜିତ ଏକ ରୋଡ୍ ସୋ’ର ନେତୃତ୍ୱ ନେଇଥିବା ଜଣାପଡିଛି । ମୋଦୀଙ୍କ ଏହି କାର୍ଯ୍ୟକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଭୋଟଗଣତି ପର୍ଯ୍ୟନ୍ତ ଆଚରଣ ବିଧି ଲାଗୁ କରାଯାଉଥିବାବେଳେ ନିର୍ବାଚନ କମିଶନ (ଇସି) କିଭଳି ବିଜେପିର ଏଭଳି କାର୍ଯ୍ୟକୁ ଆଖି ବୁଜିଦେଇଛି, ସେ ସମ୍ପର୍କରେ କଂଗ୍ରେସ ପ୍ରଶ୍ନ କରିଛି । ଗୁଜରାଟ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କଠାରୁ ଆରମ୍ଭ କରି ସରକାର, ବିଜେପି, ପ୍ରଶାସନ ଓ ପୁଲିସ ସମସ୍ତେ ଏଠାରେ ଦିନରାତି ଏକ କରିଦେଇଛନ୍ତି । କଂଗ୍ରେସ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ଇସି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ତାହା ବିସ୍ମୟର କାରଣ ବୋଲି କଂଗ୍ରେସ ମୁଖପାତ୍ର ପବନ ଖେଡା ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ଏଥିରୁ ଇସି ଚାପର ବଶବର୍ତ୍ତୀ ହେଉଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି । ସୋମବାର ସକାଳେ ମୋଦୀ ଅହମ୍ମଦାବାଦର ଗୋଟିଏ ବୁଥ୍‌ରେ ପ୍ରବେଶ କରି ଭୋଟରଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ଭାଇରାଲ ହେବାପରେ ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ଇସିଙ୍କ ଦୃଷ୍ଟିକୁ ଅଣାଯାଇଛି । ଅଧିକାଂଶ ନ୍ୟୁଜ୍ ଚ୍ୟାନେଲ ମୋଦୀଙ୍କ ରୋଡ୍ ଶୋ’ର ସିଧା ପ୍ରସାରଣ ମଧ୍ୟ କରିଛନ୍ତି । ଏହା କ’ଣ ବିଜେପିର ବିଜ୍ଞାପନ ଅଭିଯାନ ବୋଲି ଖେଡା ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଇସିଙ୍କୁ ଘେରିବ ବୋଲି ଖେଡା ଧମକ ମଧ୍ୟ ଦେଇଛନ୍ତି । ରବିବାର ରାତିରେ ଗୁଜରାଟର ଜଣେ କଂଗ୍ରେସ ବିଧାୟକଙ୍କୁ ମାରଣାସ୍ତ୍ର ଦେଖାଇ ଅପହରଣ କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଜୀବନ ପ୍ରତି ବିପଦ ରହିଥିବାରୁ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀ ଯୋଗାଇଦେବାକୁ ବନସକଣ୍ଠା ଜିଲ୍ଲା ଅନ୍ତର୍ଗତ ଦାନ୍ତାର କଂଗ୍ରେସ ବିଧାୟକ କାନ୍ତି ଖରାଡି ଇସିଙ୍କୁ ଲିଖିତ ଅନୁରୋଧ କରିଥିଲେ । ତେବେ ଇସିଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ରାତିରେ ପ୍ରାୟ ୩୦ରୁ ୪୦ ବିଜେପି ଗୁଣ୍ଡା ଖଣ୍ଡା, ଭୁଜାଲି ସାହାଯ୍ୟରେ ତାଙ୍କୁ ଧମକାଇବା ସହ ଅପହରଣ କରିନେଇଥିବା ସେ କହିଛନ୍ତି । ହତ୍ୟା କରିବାକୁ ଯୋଜନା କରୁଥିବା ଏହି ଗୁଣ୍ଡାଙ୍କ କବଳରୁ କୌଣସିମତେ ମୁକୁଳିଯାଇ ସେ ନିକଟସ୍ଥ ଜଙ୍ଗଲରେ ପ୍ରାୟ ତିନି ଘଣ୍ଟା ଲୁଚି ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking