27.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତାରଣାର ଆଉ ଏକ ବଜେଟ୍ : ଚାଷୀ, ମହିଳା ଏବଂ...

ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତାରଣାର ଆଉ ଏକ ବଜେଟ୍ : ଚାଷୀ, ମହିଳା ଏବଂ ଯୁବକ ନିରାଶ

ଭୁବନେଶ୍ୱର,  : ଚଳିତ ୨୦୨୪-୨୫ ଆର୍ôଥକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି । ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି ।
କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି । ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ । ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଚଳିତ ବଜେଟ୍‌ରେ ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ ଖାଲି ପଡ଼ିଥିବା ସରକାରୀ ପଦବୀ ସଂଖ୍ୟା ୯୮ ହଜାର ୩୩୪ ହୋଇଥିବା ବେଳେ କେବଳ ସ୍ୱାସ୍ଥ୍ୟବିଭାଗରେ ୨୬ହଜାର ୮୧୫ ପଦବୀ ଖାଲି ଅଛି । ସେହିପରି ଗଣଶିକ୍ଷା ବିଭାଗର ୨୧ହଜାର ୮୪୪ ଏବଂ ୧୬ଟି ବିଶ୍ୱବିଦ୍ୟାଳୟର ମଂଜୁରିପ୍ରାପ୍ତ ୧୮୦୧ ପଦବୀ ମଧ୍ୟରୁ ୧୦୯୦ ପଦବୀ ଖାଲି ପଡ଼ିଛି । କୃଷି ବିଭାଗରେ ମଧ୍ୟ ୨୮୨୧ ପଦବୀ ଖାଲି ପଡ଼ିଛି । ଏଥିରୁ ସହଜରେ ବୁଝାପଡ଼ୁଛି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ତତ୍ପରତା କେତେ ରହିଛି ? ରାଜ୍ୟର ଚାଷୀ ମାଗଣା ବିଦ୍ୟୁତ୍ ସେବା ପାଇବା ପାଇଁ ଦୀର୍ଘ ୨୪ ବର୍ଷ ଧରି ଚାତକ ପରି ଅପେକ୍ଷା ରଖିଥିଲେ ହେଁ ସେ ସଂପର୍କରେ ସରକାର ସଂପୂର୍ଣ୍ଣ ନୀରବ ।
ସେହିପରି ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତାଧାରୀମାନଙ୍କୁ ମାସକୁ ୫ଶହ ଟଙ୍କା ଅର୍ଥାତ୍ ଦିନକୁ ୧୬ଟଙ୍କ ୬୬ପଇସା ଦେଇ ସରକାର ବଡ଼ କାମ କରୁଛନ୍ତି ବୋଲି ଭାବୁଛନ୍ତି । ପଡ଼ୋଶୀ ରାଜ୍ୟମାନଙ୍କରେ ମିଳୁଥିବା ଭତାର ପରିମାଣ ୧୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୫,୪୫୦ କୋଟି ଟଙ୍କା ବଜେଟ୍‌ରେ ପ୍ରାବଧାନ ରହିଛି, ଯାହା ସଂପୂର୍ଣ୍ଣଭାବେ ସିଧାସଳଖ କର୍ପୋରେଟ୍ ହସ୍ପିଟାଲ କର୍ତୃପକ୍ଷଙ୍କ ପକେଟ୍‌କୁ ଯାଉଛି । ଏହି କ୍ରମରେ ବିଭିନ୍ନ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିବା ଅର୍ଥରେ ରାଜ୍ୟର ୩୦ଗୋଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ସହିତ ସରକାର ଦୀର୍ଘମିଆଦି ସୂତ୍ରରେ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ କରିପାରିଥାନ୍ତେ ଓ ସେଥିରେ ଗରିବ ଜନସାଧାରଣ ବିଶେଷ ଉପକୃତ ହୋଇପାରିଥାନ୍ତେ । ପରନ୍ତୁ ସରକାରଙ୍କ ଦୂରଦୃଷ୍ଟି ରହିତ ସ୍ୱାସ୍ଥ୍ୟ ଯୋଜନା ପାଇଁ ବେସରକାରୀ ହସ୍ପିଟାଲର ମାଲିକମାନେ ମାଲେମାଲ ହେଉଛନ୍ତି ।
ଅପରପକ୍ଷରେ ସରକାର ରାଜ୍ୟରେ ୧୦ ପ୍ରତିଶତ ଅର୍ଥାତ୍ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀ ସୀମାରେଖା ବାହାରକୁ ଆସିଥିବା ତଥ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଯେତେବେଳେ ୮୩ ପ୍ରତିଶତ ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଥିବା କଥା କହୁଛନ୍ତି, ସେତେବେଳେ ଏତେ ସଂଖ୍ୟକ ଗରିବ ସୀମାରେଖା ଉପରକୁ ଆସିଲେ କେମିତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା ଯେତେବେଳେ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି, ସେତେବେଳେ ରାଜ୍ୟର ଋଣଭାର ୧ଲକ୍ଷ ୨୦ହଜାର କୋଟି ଟଙ୍କା କାହିଁକି ବୋଲି କହିିଥିଲେ । ରାଜ୍ୟର ୬୦ ପ୍ରତିଶତ ମହିଳା ଓ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ମହିଳା ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ବ୍ୟୟବରାଦ ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ସେହିପରି ମିଶନ ଶକ୍ତି ଘର ନିର୍ମାଣ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଦଳୀୟ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ ।
କଂଗ୍ରେସ ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ ଯେ ଏହି କାମଚଳା ବଜେଟ୍‌ରେ ବେକାର ଯୁବବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟର ୩୦ ଲକ୍ଷ ଯୁବା ପେଟପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଓ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଓ କେତେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ସରକାର ଏହି ବର୍ଗଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ସେମାନଙ୍କ ପ୍ରତି ଘୋର ଅନ୍ୟାୟ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking