21.1 C
Bhubaneswar
Monday, November 18, 2024
Homeଓଡିଶାବିଦାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାରା ପ୍ରତ୍ୟେକ ଦିନ ୪୦୦ ମିଛର ପସରା : କଂଗ୍ରେସ

ବିଦାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାରା ପ୍ରତ୍ୟେକ ଦିନ ୪୦୦ ମିଛର ପସରା : କଂଗ୍ରେସ

* ଅନୁସୂଚିତ ଜାତି, ଜନଜାତି ଓ ଓବିସିବର୍ଗଙ୍କ ପାଇଁ ଥିବା ଆରକ୍ଷଣର ବ୍ୟବସ୍ଥାକୁ ଖତମ କରିବାପାଇଁ ବିଜେପି ଓ ଆରଏସଏସ ଅହରହ ଉଦ୍ୟମରତ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ଡ. କୁମାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଥ୍ୟାର ଶେହେନଶାହା, ଅସତ୍ୟର ମହାରାଜ ଓ ଜୁମଲାର ବାଦଶାହା । ମିଥ୍ୟା ଓ ଜୁମଲାର ସବୁ ସୀମା ପାର କରିସାରିଲେଣି ମୋଦୀ, ନିର୍ବାଚନୀ ସଭାରେ ବଡ଼ ପାଟିରେ ସେ ମିଛ କୁହନ୍ତି । ପ୍ରତି ବ୍ୟାଙ୍କ ଆକାଉଂଟକୁ ୧୫ଲକ୍ଷ ଆସିବା, କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା, ପ୍ରତି ଘରକୁ ପକ୍କାଘର ଓ ବିଜୁଳି ସଂଯୋଗ, ସ୍ମାଟ ସିଟି ନିର୍ମାଣ, ବର୍ଷକୁ ଦୁଇ କୋଟି ଯୁବକଙ୍କୁ ନିଯୁକ୍ତି, ବୁଲେଟ ଟ୍ରେନ ଚଲାଇବା ଏ ସମସ୍ତ କଥା ମୋଦୀଙ୍କ ମିଛର ଅଂଶବିଶେଷ । ବିଜେପି ଭକ୍ତଙ୍କ ମିଥ୍ୟାଦାବି ଅନୁସାରେ ସେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିପାରନ୍ତି କିନ୍ତୁ ମଣିପୁରରେ ହିଂସା ରୋକିବାରେ ଅସମର୍ଥ ହୁଅନ୍ତି । ମୋଦୀ ଅବକି ବାର ପ୍ରତିଦିନ ମିଛ କହିବାରେ ୪୦୦ ପାର । ୪୫ ବର୍ଷରେ ଦେଶରେ ସର୍ବାଧିକ ବେରୋଜଗାର ହୋଇଥିବା ବେଳେ ଦରଦାମ ବୃଦ୍ଧି ଦେଶବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦେଶର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀକୁ କମ କରିବାରେ ବିଫଳ ମୋଦୀ ୬୦ ହଜାର କୋଟି ଟଙ୍କା ବିନିମୟରେ ସମଗ୍ର ଦେଶରେ ନିଜର ଦଳୀୟ କାର୍ଯ୍ୟାଳୟ ପାଇଁ ଜାଗା କିଣିବା ଏବଂ ଘର କରିବାରେ ଖର୍ଚ୍ଚ କରିବା ସାଧାରଣ ଜନତାଙ୍କ ପ୍ରତି ନିଷ୍ଠୁର ଉପହାସ । ମୋଦୀ ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ଏକନମ୍ବର କରିବାପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଯାହାକୁ ଓଡ଼ିଶାବାସୀ ଭଲଭାବରେ ଜାଣିଛନ୍ତି ଯେ ଯେଉଁ ରାଜ୍ୟ ମାନଙ୍କରେ ଡବଲ ଇଞ୍ଜିନ ସରକାର ଓ ରାଜ୍ୟରେ ବିଜେପି ଶାସନ ଦୀର୍ଘବର୍ଷ ଧରି ରହିଆସିଛି ସେ ସବୁ ରାଜ୍ୟକୁ ଏକ ନମ୍ବର କରାଇବାରେ ମୋଦୀ ଅସମର୍ଥ ତେଣୁ ଯେତେ ଅଧିକ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବିଜେପି କମିବ ଓ କଂଗ୍ରେସ ବଢ଼ିବ । ବିଜେପି ଏବେ “ଭାଗ୍‌ତିହୁଇ ଜୁମୁଲା ପାର୍ଟି” ଦେଶର ଜନସାଧାରଣ ସେମାନଙ୍କୁ ଭଗେଇବା ପାଇଁ ପଣ କରିଛନ୍ତି ସେମାନେ ଯେଉଁ ଯାଗାକୁ ଯାଉଛନ୍ତି ତାଙ୍କୁ ଜନତା ଭଗାଉଛନ୍ତି । ୪ଟି ପର୍ଯ୍ୟାୟ ନିର୍ବାଚନ ସରିଥିଲା ବେଳେ ଦେଶର ଜନତାଙ୍କ ମୁଡ୍ ଦେଖି ମୋଦୀ ଏବେ ଭୟଭୀତ ଅଛନ୍ତି । ନିଜର ଚେୟାର ବଂଚାଇବା ପାଇଁ ବିଦ୍ୱେଷର ବିଷମଞ୍ଜି ବୁଣିବାରେ ଲାଗିଛନ୍ତି । ମୋଦୀ ଦେଇଥିବା ପ୍ରତିଶ୍ରୁତି ଯଥା ସବୁ ଘରକୁ ଅପ୍ଟିକାଲ ଫାଇବର ଯୋଗେ ସଂଯୋଗ କରିବା ଆଜି ପାଣିର ଗାର ରୂପେ ସାବ୍ୟସ୍ତ ହୋଇଛି ।
ଡ. ଅଜୟ କୁମାର କହିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୪ ମସିହାରେ ଏକ ଲେଖାରେ ଲେଖିଥିଲେ ଯେ “ଆରକ୍ଷଣ ବ୍ୟବସ୍ଥା ଲୋକଙ୍କୁ ଅଳସୁଆ ଓ ନିକମା ବନେଇଥାଏ” । ନିକଟରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ, କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ଅନନ୍ତ ହେଗଡ଼େ, ସାଂସଦ ପ୍ରାର୍ଥୀନୀ ଜ୍ୟୋତି ମିର୍ଧା ଆଦି ଦେଇଥିବା ବୟାନରୁ ସମ୍ବିଧାନ ସମ୍ମତ ଦଳିତ, ଅବହେଳିତ ଏବଂ ବଂଚିତବର୍ଗଙ୍କ ପାଇଁ ଥିବା ଆରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାପାଇଁ ବିଜେପି ସବୁବେଳ ଉଦ୍ୟମରତ ଏକଥା ସ୍ପଷ୍ଟ ହୋଇଛି । ଓଡ଼ିଶାରେ ନବୀନ ବାବୁଙ୍କ ସରକାର ଚାହିଁଥିଲେ ତାମିଲନାଡୁ ଢ଼ାଂଚାରେ ରାଜ୍ୟର ସବୁଠାରୁ ବଡ଼ ବର୍ଗ ଓବିସି ମାନଙ୍କପାଇଁ ୫୦ ପ୍ରତିଶତରୁ ଉପରକୁ ଯାଇ ସଂରକ୍ଷଣ ବ୍ୟବସ୍ଥା କରିପାରିଥାନ୍ତେ । ସମ୍ବିଧାନର ନବମ ଅନୁଛେଦର ସାହାଯ୍ୟ ନେଇ ଏ କାର୍ଯ୍ୟ ସଂପୂର୍ଣ୍ଣରୂପେ ଓଡ଼ିଶାର ଓବିସି ବର୍ଗଙ୍କୁ ତାଙ୍କର ସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଦିଆଯାଇ ପାରିବ । କିନ୍ତୁ ଓଡ଼ିଶା ବିଜେଡ଼ି ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ଏ ଲାଗୁ କରାଯାଇପାରୁନାହିଁ । ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହେଲେ ମଧ୍ୟ ଆଦିବାସୀ ମାନଙ୍କର ଜଙ୍ଗଲ ଜମି ଉପର ଥିବା ଅଧିକାରକୁ ଛଡ଼ାଇ ନେବାପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ଆଇନ ଆଣିଥିଲେ ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଉଭୟ ମୋଦୀ ଏବଂ ନବୀନ ସମଗ୍ର ଦେଶ ଏବଂ ରାଜ୍ୟରେ ଆଦିବାସୀ ବର୍ଗଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗକୁ କ୍ରମାଗତ ଭାବରେ ସଂକୁଚିତ କରିବାରେ ଲାଗିଛନ୍ତି । ଦେଶରେ ପରିବର୍ତନର ହାୱା ବହୁଛି ଏବଂ ଜୁନ ୪ ତାରିଖ ପରେ କେନ୍ଦ୍ରରେ ଇଣ୍ଡିଆମେଂଟର ସରକାର ହେବ । ଏ ସନ୍ଦର୍ଭରେ ସେ ତିନୋଟି ପ୍ରଶ୍ନ ଉଭୟ ନବୀନ ଓ ମୋଦୀ (ନମୋ)ଙ୍କୁ ପଚାରିଛନ୍ତି- ୧. ନବୀନ ବାବୁ ଦୀର୍ଘ ୨୪ବର୍ଷ ଭିତରେ ଓବିସିବର୍ଗଙ୍କୁ ୨୭% ଆରକ୍ଷଣ ଦେବାରେ ଅସମର୍ଥ କାହିଁକି? ୨. ମୋଦୀଙ୍କୁ ପ୍ରଶ୍ନ- ଯୋଗୀ ଆଦିତ୍ୟନାଥଙ୍କର ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିବର୍ଗଙ୍କୁ ନିକମା କହିବାକୁ ନେଇ ଆପଣ ସହମତକି? ଯଦି ସହମତ ନୁହଁନ୍ତି ତେବେ ତୁରନ୍ତ ତାଙ୍କପାଖରୁ କୈଫୟତ ତଲବ କରନ୍ତୁ । ୩. ମୋଦୀ ଜୀ ଆପଣ ଓଡ଼ିଶାକୁ ଏକ ନମ୍ବର କରିବା କଥା କହୁଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟରେ ମଧ୍ୟ ସମାନ କଥା କହିଥିଲେ । ଯେଉଁ ରାଜ୍ୟରେ ବିଜେପି ଦୀର୍ଘଦିନ ଧରି ଶାସନ କରୁଛି ତାକୁ ଏକ ନମ୍ବର କାହିଁକି କରିପାରିଲେ ନାହିଁ ତାର ଉତର ପ୍ରଥମେ ରଖନ୍ତୁ? ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର, ରିତୁ ଚୌଧୁରୀ, ଗଣମାଧ୍ୟମ ବିଭାଗ ସଂପାଦକ ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking