26.1 C
Bhubaneswar
Thursday, September 19, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରଶ୍ନ ଉଠାଇଲା କଂଗ୍ରେସ; ମାସିକ ୮୩୩ ଟଙ୍କାରେ କି ଉଦ୍ୟୋଗୀ ହେବେ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରଶ୍ନ ଉଠାଇଲା କଂଗ୍ରେସ; ମାସିକ ୮୩୩ ଟଙ୍କାରେ କି ଉଦ୍ୟୋଗୀ ହେବେ ମହିଳା

-ମୋହନ ସରକାର ଏବେ ମୋଦାନି ସରକାର: ଡ. ବିଶ୍ୱରଞ୍ଜନ ମହାନ୍ତି
-ଦେଢ଼ ଲକ୍ଷ କୋଟି ଟଙ୍କାର ଖଣି ରାଜସ୍ୱ ଫେରିବ କେବେ?
-୨୦ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀ ପରିବାର କେବେ ଟଙ୍କା ଫେରିପାଇବେ?
-ରାଜ୍ୟପାଳଙ୍କ ପୁଅ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଓଡ଼ିଆ ଅଫିସରଙ୍କୁ ନ୍ୟାୟ ମିଳିବ ତ?

ଭୁବନେଶ୍ୱର : ବର୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ବେଶ୍ ଉତ୍ସାହିତ । ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି । ମାତ୍ର ବାସ୍ତବରେ ଏହା ବିଜେପି ସରକାରର ଆଉ ଏକ ଜୁମ୍‌ଲା । କାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନେତାମାନେ କହିଥିଲେ ଯେ ଓଡ଼ିଶାରେ ଯଦି ବିଜେପି କ୍ଷମତାକୁ ଆସେ ତେବେ ତୁରନ୍ତ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ସରକାର ସୁଭଦ୍ରା ଯୋଜନାକୁ ନେଇ ଏମିତି ଦ୍ୱନ୍ଦ୍ୱ ସୃଷ୍ଟି କଲେ ଯେ ତାହା ଏ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ପାଇଁ ଅବୁଝା ରହିଛି । ସେହିପରି ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ସରକାର ବର୍ତମାନ ଓଡ଼ିଶାରେ ଗୁଜୁରାଟ ମଡ଼େଲ ଚଲାଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବିରେ ଅଣଓଡ଼ିଆ ଅଫିସରଙ୍କୁ ବସାଇ ଓଡ଼ିଆ ଅସ୍ମିତାକୁ ଧୂଳିସାତ କରିବାକୁ ଯୋଜନା କରିଛନ୍ତି । ଗୋପାଳପୁର ବନ୍ଦରକୁ ଆଦାନିକୁ ପ୍ରଦାନ କରି ରାଜ୍ୟର ମୋହନ ସରକାର ନିଜକୁ ମୋଦାନି ସରକାର ବୋଲି ପରିଚୟ ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଓଡ଼ିଶାରେ ବିଜେପି ସରକାରର ଶାସନ ବ୍ୟବସ୍ଥା, ସୁଭଦ୍ରା ଯୋଜନା ଓ ଓଡ଼ିଆ ଅସ୍ମିତାକୁ ନେଇ ଏଭଳି ପ୍ରଶ୍ନ ଉଠାଇଛନ୍ତି ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଡ.ବିଶ୍ୱରଞ୍ଜନ ମହାନ୍ତି ।

ସୋମବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ମହାନ୍ତି କହିଲେ ଯେ ବିଜେପି ସରକାର ପ୍ରଥମେ ରଥଯାତ୍ରାରେ ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ପରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଏହି ଅର୍ଥ ଦିଆଯିବ ବୋଲି କହିଲେ । ମାତ୍ର ଏବେ ଏହି ଦୁଇ ଦିବସଠାରୁ ଅଧିକ ଶୁଭଦିନ ଭାବି ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ଅର୍ଥ ଦେବାକୁଯାଉଛନ୍ତି । ନିର୍ବାଚନ ପୂର୍ବରୁ ସମସ୍ତ ମହିଳାଙ୍କୁ ତୁରନ୍ତ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ମାତ୍ର କ୍ଷମତାକୁ ଆସିବା ପରେ ୨ବର୍ଷରେ ଏହି ଅର୍ଥ ପ୍ରଦାନ କରିବେ ବୋଲି କହିଲେ । ଏବେ ପୁଣି ୫ବର୍ଷରେ ଦେବେ ବୋଲି କହିଛନ୍ତି । ଏମିତି ହିସାବରେ ଜଣେ ମହିଳା ମାସକୁ ମାତ୍ର ୮୩୩ ଟଙ୍କା ତଥା ଦିନକୁ ୨୭ ଟଙ୍କା ପାଇବେ । ଏହି ଅର୍ଥରେ ଜଣେ ମହିଳା କି ପ୍ରକାର ଉଦ୍ୟୋଗ ଗଢ଼ିବେ ଏବଂ ସଶକ୍ତ ହେବେ ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଉତ୍ସବ ପାଇଁ ଆସନ୍ତାକାଲି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଅଥଚ ଆମ ରାଜ୍ୟର ପ୍ରାୟ ୨କୋଟି ୨୫ ଲକ୍ଷ ମହିଳାଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳାଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି । ଏଥିରେ ଅଛନ୍ତି ୧୮ବର୍ଷରୁ କମ୍ ବୟସର ୧୩ ପ୍ରତିଶତ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ୱ ୧୭ ପ୍ରତିଶତ ମହିଳା । ସେହିପରି ଯାହାଙ୍କ ପରିବାର ସଦସ୍ୟ ଉଦ୍ୟୋଗୀ ହୋଇଥିବେ କିମ୍ବା ଯେଉଁମାନେ ସରକାରଙ୍କଠାରୁ କୌଣସି ପ୍ରକାରେ ୧୫୦୦ ଟଙ୍କାର ସହାୟତା ପାଉଥିବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ ବୋଲି ସର୍ତ ରଖାଯାଇଛି । ତେବେ କେଉଁମାନେ ଏଥିରେ ଉପକୃତ ହେବେ ଓ ସେମାନଙ୍କ ସଂଖ୍ୟା କେତେ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ. ମହାନ୍ତି ଦାବି କରିଛନ୍ତି । ସେ କହିଛନ୍ତି, ବିଜେପି ସରକାର ହେଉଛି ପୁଞ୍ଜିପତି ସରକାର । ବର୍ତମାନ ଆଦାନି ଗ୍ରୁପ୍ ହାତକୁ ଗୋପାଳପୁର ବନ୍ଦର ଟେକି ଦିଆଯାଇଛି ।

କମ୍ପାନିର ୯୫ ପ୍ରତିଶତ ଭାଗ ଏଥିରେ ଅଛି । ଓଡ଼ିଶାର ବିମାନ ବନ୍ଦର, ଖଣିଖାଦାନ ସବୁ ପୁଞ୍ଜିପତିଙ୍କୁ ଟେକି ଦେବାକୁ ଯୋଜନା ହୋଇଛି । ଏହା ଓଡ଼ିଆ ଅସ୍ମିତା ନାଁ ଗୁଜୁରାଟ ମଡେଲ । କଂଗ୍ରେସ ସରକାର କ୍ଷମତାରେ ଥିବାବେଳେ ସ୍ୱର୍ଗତ ଜାନକୀ ବହ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୮୦ରେ ଓଡ଼ିଶାରେ ଶ୍ୱେତ କ୍ରାନ୍ତି ଆସିଥିଲା । କୋଅପରେଟିଭ୍ ସୋସାଇଟି ଜରିଆରେ ୫ଲକ୍ଷ କୃଷକ ସିଧାସଳଖ ଉପକୃତ ହେଉଥିଲେ । ମାତ୍ର ବର୍ତମାନ ସବୁ ପୁଞ୍ଜିପତିଙ୍କ ହାତରେ । ଏନଡିଡିବି ଜରିଆରେ ଓମ୍‌ଫେଡ୍‌କୁ ମଧ୍ୟ ଗୁଜୁରାଟ ବେପାରୀଙ୍କ ହାତରେ ଟେକିଦେବାକୁ ମସୁଧା ଚାଲିଛି । ଗୋପାଳପୁର ଓ ଧାମରା ବନ୍ଦର ସହିତ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଜଡ଼ିତ । ଏହାକୁ କୌଣସି ପ୍ରକାରେ ଆଦାନି ପୋର୍ଟ କରାଇଦିଆଯିବନି । ଏଥିପାଇଁ ବର୍ତମାନର ମୋହନ ସରକାର ବା ମୋଦାନି ସରକାରଙ୍କ ସହିତ ଓଡ଼ିଶାବାସୀଙ୍କ ଲଢ଼େଇ ହେବ । ଶାହା କମିଶନ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ବ୍ୟାପକ ଖଣି ଦୁର୍ନୀତି ହୋଇଛି । ଓଡ଼ିଶାର ଦେଢ଼ଲକ୍ଷ କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଛି । ସେହିପରି ରାଜ୍ୟରେ ମୋହନ ସରକାରଙ୍କୁ ୧୦୦ଦିନ ପୂରିବାକୁ ବସିଥିବାବେଳେ ୨୦ ଲକ୍ଷ ଚିଟ୍‌ଫଣ୍ଡ ଜମାକାରୀ ପରିବାର ଟଙ୍କା ଫେରିପାଇବାକୁ ଚାହିଁ ରହିଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୫୦ହଜାର କୋଟି ଟଙ୍କାର ଏହି ବଡ଼ ଦୁର୍ନୀତିର ତଦନ୍ତ ସହ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଅଦ୍ୟାବଧି ଏହି ଅର୍ଥ ଫେରାଯାଇନାହିଁ । ସେହିପରି ରାଜ୍ୟପାଳଙ୍କ ପୁଅ ଲଳିତ ଦାଶ ଜଣେ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିଲେ ।

ଏନେଇ ସମ୍ପୃକ୍ତ ଅଫିସର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ଅବସରରେ ଓଡ଼ିଶା ପାଇବାକୁ ଥିବା ଦେଢ଼ଲକ୍ଷ କୋଟି ଟଙ୍କାର ଖଣି ରାଜସ୍ୱ କେବେ ପାଇବ, ୨୦ଲକ୍ଷ ଚିଟ୍‌ଫଣ୍ଡ୍ ଜମାକାରୀ ପରିବାର କେବେ ଅର୍ଥ ଫେରିପାଇବେ ଏବଂ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଓଡ଼ିଆ ଅଫିସର ନ୍ୟାୟ ପାଇବାକୁ ଆଉ କେତେଦିନ ଅପେକ୍ଷା କରିବେ କୁହନ୍ତୁ ବୋଲି ଡ. ମହାନ୍ତି ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସେହିପରି ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା, ଗଣବଳାତ୍କାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥୀ, ଡ.ମନିଷା ଦାଶ ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking