29.1 C
Bhubaneswar
Friday, October 18, 2024
Homeଓଡିଶାକୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ- ତାରା ପ୍ରସାଦ ବାହିନୀପତି

କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ- ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିରୋଧିଦଳ ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କୋରାପୁଟ ଜିଲ୍ଳାର କୋଟିଆ ପଂଚାୟତରେ ଆନ୍ଧ୍ର ସରକାର ଯେଭଳି
ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଓଡ଼ିଶାର ସରକାରଙ୍କ ପକ୍ଷରୁ ଯେପରି ନୀରବତା ଅବଲମ୍ବନ କରାଯାଉଛି ଏଥିରୁ ଅନୁମେୟ ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି । କୋଟିଆକୁ ଓଡ଼ିଶାରେ ରଖିବାପାଇଁ ଓଡ଼ିଶା ସରକାରଙ୍କର ଆନ୍ତରିକତାର ଅଭାବ ରହିଛି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି ।
କୋଟିଆ ପଂଚାୟତର ୨୧ଟି ଗ୍ରାମରେ ଆନ୍ଧ୍ର ସରକାର ସାଧାରଣ ଜନତାଙ୍କୁ ପ୍ରଲୋଭିତ କରୁଛନ୍ତି । ଧୂଳିପଦର ଓ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରୀ ଦଳର ଦଳୀୟ ପତାକା ଆନ୍ଧ୍ର ସରକାରୀ କର୍ମଚାରୀମାନେ ଉତୋଳନ କରୁଛନ୍ତି ।
ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସେଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ସ୍ୱାସ୍ଥ୍ୟ ସେବା ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।
ଆନ୍ଧ୍ର ସରକାର ‘ଜଗନ୍ନା ଭରସା’ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆ ଅଂଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପଂହଚୁଛନ୍ତି ।
କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ଓଡ଼ିଶା ସରକାର ହଷ୍ଟେଲ ସୁବିଧା କରିଥିବା ବେଳେ ଆନ୍ଧ୍ର ସରକାର କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ରରେ କୋଟିଆର ସମସ୍ତବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ସରକାରୀ ହଷ୍ଟେଲ ସୁବିଧା ଯୋଗାଇ ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାର ୧୫ ଦିନ ମଧ୍ୟରେ ସେମାନଙ୍କ ପରିବାର ବର୍ଗଙ୍କୁ ଆନ୍ଧ୍ର ସରକାର ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି ।
ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରାୟ ଦିଆଯାଉ ନାହିଁ । ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅତି ନିମ୍ନମାନର । ମାତ୍ର ସେଠି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଫିସର ମାନେ ଜଗିବସି ଉନ୍ନତ ଖାଦ୍ୟ ଓ ସେଥିରେ ଅଣ୍ଡା ଓ କ୍ଷୀର ଦେଉଛନ୍ତି ।
ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ ଅଫିସରମାନେ ବାର୍ଦ୍ଧକ୍ୟଭତା ହିତାଧିକାରୀଙ୍କ ଘରକୁ ଯାଇ ହାତରେ ୨୫୦୦ ଟଙ୍କା ଧରେଇ ଦେଉଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା (ଏବେ ହଜାର ଟଙ୍କା) ବ୍ୟାଙ୍କ ବା ପୋଷ୍ଟାଲ ମାଧ୍ୟମରେ ଦେଉଛନ୍ତି । ହିତାଧିକାରୀ ଅନେକ ସମୟରେ ଭତା ଅର୍ଥ ନେବାପାଇଁ ୨୦-୨୫ କିଲୋମିଟର ଚାଲି ଚାଲି ଆସି ହତାସ ହେଉଛି ।
କୋଣ୍ଡାଦ୍ୱାର, ମାଳି, ରଣା, କୁମ୍ଭାର, କମାର ଓ ପାଇକ ପ୍ରଭୃତି କେତେକ ବର୍ଗଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନ୍ୟତା ମିଳୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସରକାର ସେମାନଙ୍କର ଦାବିକୁ ଉପେକ୍ଷା କରୁଛନ୍ତି ।
ଆନ୍ଧ୍ର ପକ୍ଷରୁ କୋଟିଆକୁ ଦୁଇଟି ପଂଚାୟତରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ‘ଗୁଣସିନେରି ଓ ଅନ୍ୟଟି ତଳଗଞ୍ଜେଇପଦର । ଆନ୍ଧ୍ର ପକ୍ଷରୁ ଏହାକୁ ବିଗୁଆ ଗଞ୍ଜେଇ ଭଦ୍ରା ଏବଂ ଫଗୁ ଚିନାରୀ କୁହାଯାଉଛି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଥାଇ ହୁଡିଂ ଲାଗିଛି ।
ଶ୍ରୀ ବାହିନୀପତି କହିଛନ୍ତିଯେ ପଟାଙ୍ଗୀ ବ୍ଲକ ଅଧିନସ୍ଥ ଗାଲିଗପ୍ତର ଠାରେ ଥିବା ଜଳପ୍ରପାତରୁ ପ୍ରବାହିତ ହୋଇଥିବା ଜଳକୁ ଅଟକାଇ କୋଟିଆ ପଂଚାୟତର ଉପତ୍ୟକାରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏହି ଜଳକୁ ବ୍ୟବହାର କରି ନେରେଡ଼ି ବାଲସା ଏବଂ ତାଡ଼ିବାଲସା (ଆନ୍ଧ୍ର ଏହାକୁ ଆନ୍ଧ୍ରର କୁରୁକୁଟି ପଂଚାୟତ ଅଧିନସ୍ଥ ବୋଲି କହୁଛି) ଠାରେ ଏକ ହ୍ରାଇଡ୍ରୋ ପ୍ରୋଜେକ୍ଟ ନିର୍ମାଣ କରିବାପାଇଁ ସର୍ଭେ ଏବଂ ସଏଲଟେଷ୍ଟ କାମ ସମାପ୍ତ ହୋଇଛି । ଏହା ଦ୍ୱାରା କୋଟିଆ ଉପତ୍ୟକାରେ ଥିବା ୧୨ ଖଣ୍ଡ ଗାଁ ଜଳମଗ୍ନ ହୋଇଯିବ । ଏହି ହାଇଡ୍ରୋ ପ୍ଳାଂଟ ବାବଦରେ ୧୯.୭.୨୦୨୩ ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତତ୍ୱାବଧାନରେ ଆଦାନୀଗ୍ରୁପ, ଓଡ଼ିଶା ସରକାରଙ୍କର ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆନ୍ଧ୍ର ସରକାରଙ୍କ ଅଫିସର ଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶା ସରକାର କୌଣସି ପ୍ରତିବାଦ ନକରିବା ଦୁର୍ଭାଗ୍ୟଜନକ । ଏଠାରେ ପ୍ରକାଶ ଥାଉକି ଆନ୍ଧ୍ର ସରକାର ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡକୁ କୋଟିଆରେ ପମ୍ପ ଷ୍ଟୋରେଜ ପ୍ରକଳ୍ପ ପାଇଁ ସର୍ଭେ ନିମନ୍ତେ ଦାୟୀତ୍ୱ ଦେଇଛି । ରାଜ୍ୟ ସରକାର ଆନ୍ଧ୍ରକୁ ସହଯୋଗ କରୁଛନ୍ତି ବୋଲି ମନେ ହେଉଛି ।
ପଟାଙ୍ଗୀ ବ୍ଲକର ନେରେଡ଼ି ବାଲସାରେ ପ୍ରକଳ୍ପ ହେବ । ଯାହାକି ସାଲୁର ଠାରୁ ୩୫ କିମି ଦୂର । ସେଠି ଆନ୍ଧ୍ର ବସ ଚାଲିଛି ମାତ୍ର ଓଡ଼ିଶା ବସ ଚାଲୁନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ନେରେଡ଼ି ବାଲସା ପଟାଙ୍ଗୀ ଠାରୁ ମାତ୍ର ୧୫ କି.ମି ଦୂର । ସେଠିକାର ଅଧିବାସୀ ଆନ୍ଧ୍ରର ସାର୍କି ହାଟକୁ ଯାଇ ତେନ୍ତୁଲି, ଝାଡ଼ୁ, ଖଲିପତ୍ର, ହଳଦୀ, ପନିପରିବା ଏବଂ ଅନ୍ୟାନ୍ୟ ଯଙ୍ଗଲଯାତ ଦ୍ରବ୍ୟ ବିକୁଥିବା ବେଳେ ପଟାଙ୍ଗୀକୁ ବସ ଯୋଗାଯୋଗ ନଥିବାରୁ ସେମାନେ ଓଡ଼ିଶାରେ ବିକ୍ରୀ କରିବାରେ ସୁଯୋଗ ପାଉ ନାହାନ୍ତି ।
କଥା ସେତିକିରେ ରହିଯାଇ ନାହିଁ । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋରାପୁଟର ନନ୍ଦପୁର ବ୍ଲକର ଚାଟୁଆ ଅଂଚଳରେ ରାସ୍ତାକାମ, ପାନୀୟଜଳ ବ୍ୟବସ୍ଥା ଓ ବ୍ରୀଜ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନାରାୟଣ ପାଟଣା ବ୍ଲକର ବରଗୀ, ଲଙ୍ଗଳବେଢ଼ା ପ୍ରଭୃତି ତିନିଚାରିଟି ପଂଚାୟତରେ ଓ ବନ୍ଧୁ ଗାଁ ବ୍ଲକର ତିନୋଟି ପଂଚାୟତରେ ଆନ୍ଧ୍ର ସରକାର ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏକଥା ଓଡ଼ିଶା ସରକାର ଜାଣି ନୀରବ ରହିବା ଦୁର୍ଭାଗ୍ୟଜନକ । ଜଣେ ସାଧାରଣ ଓଡ଼ିଆ ଏହାକୁ ସହ୍ୟ କରିପାରିବ ନାହିଁ । କୋରାପୁଟର ଛାତିରେ ଆନ୍ଧ୍ରର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସତେଯେପରି ସମର୍ଥନ ଦେଉଛନ୍ତି ତାହା ଆମ ପାଇଁ କଷ୍ଟ ଦାୟକ । ଏପରି ହେଲେ ସେଠିକାର ବାସିନ୍ଦା ଆନ୍ଧ୍ର ଅଧିନରେ ରହିବାକୁ ପସନ୍ଦ କରିବେ । ଏକଥା କ’ଣ ମୁଖ୍ୟ ମନ୍ତ୍ରୀ ଜାଣି ପାରୁ ନାହାନ୍ତି? ପଂଚାୟତ ନିର୍ବାଚନ ଆନ୍ଧ୍ର ପକ୍ଷରୁ କରାଗଲା । ଓଡ଼ିଶା ସରକାର ଏହାକୁ ଠିକ୍ ଭାବରେ ପ୍ରତିବାଦ କରିପାରିଲେ ନାହିଁ ।
ଶ୍ରୀ ବାହିନୀପତି କହିଛନ୍ତି ଯେ ପଟାଙ୍ଗୀ ବ୍ଲକରେ ଥିବା ଦେଓମାଳି ପର୍ବତ ଏବଂ ସମଗ୍ର କୋଟିଆ ପଂଚାୟତକୁ ରାଜ୍ୟ ସରକାର ଜୈବ
ବିବିଧତାର ହେରିଟେଜ ଅଂଚଳ ଭାବେ ଘୋଷଣା କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗବେଷଣା କରି ଏହାକୁ ହେରିଟେଜ ଅଂଚଳ ଘୋଷଣା କରିବାକୁ ରିପୋର୍ଟ ଦେଇଛନ୍ତି ।
ଓପିସିସି ମିଡିଆ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଉଦାସୀନ ରହିଛନ୍ତି । ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପ୍ରତି ମୁଖ୍ୟମନ୍ତ୍ରୀ ଆଦୌ ସମ୍ବେଦନଶୀଳ ନୁହନ୍ତି । କୋଟିଆ ଅଂଚଳ ପ୍ରତି ଏଭଳି ଉଦାସିନତା ଭାବ ରହିଲେ, ସଂପୃକ୍ତ ଅଂଚଳବାସୀଙ୍କ ନ୍ୟାୟ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking