ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପ୍ରମୋଦଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ତରକାସି ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ I ଏଥି ସହିତ ପ୍ରମୋଦଙ୍କ କୋଚ ଶିବ ପ୍ରସାଦ ଦାସଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ Iଅଲିମ୍ପିୟାନ ପଦ୍ମଶ୍ରୀ ପ୍ରମୋଦ ଭଗତ ନିଜ ବକ୍ତବ୍ୟରେ କ୍ରୀଡ଼ାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରସଂଶା କରିବା ସହ ନିଜର ସଫଳତା ଓ ଆଗାମୀ ଅଲିମ୍ପିକ୍ସ ଲକ୍ଷ୍ୟ ବିଷୟରେ ଉପସ୍ଥିତ କ୍ରୀଡ଼ାବିତ ମାନଙ୍କୁ କହିଥିଲେ I ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ସଫଳତା ପାଇବା ଲାଗି କୌଣସି ସହଜ ମାର୍ଗ ନାହଁ I କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତା ପାଇବାରେ ସାହାଯ୍ୟ କରେ I ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରମୋଦ ଭଗତ I ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ଆଗକୁ ନେବାପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନୂତନ ପିଢ଼ି ଏହାର ଲାଭ ଉଠାଇବା ସହ ପ୍ରମୋଦଙ୍କ ଭଳି ରାଜ୍ୟ ପାଇଁ ଗୌରବ ଆଣି ପାରିବେ ।ସେହିପରି କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ କହିଥିଲେ ଯେ, ନିଜର ଉଦ୍ୟମ ବଳରେ ପଦ୍ମଶ୍ରୀ ପ୍ରମୋଦ ଭଗତ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାର କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି