ନୟାଗଡ: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଫାଣ୍ଡି ଅନ୍ତର୍ଗତ ଜଗନାଥ ପ୍ରସାଦ ଗ୍ରାମପଞ୍ଚାୟତର କାଦୁଅପଡା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପପୁଅଙ୍କ ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଜଗନାଥପ୍ରସାଦ ପଞ୍ଚାୟତ କାଦୁଅପଡା ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପରିବାର ଓ ଶରତ କୁମାର ପଣ୍ଡାଙ୍କ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗିରହିଥିଲା ।
ଏ ନେଇ ପୂର୍ବରୁ ଗ୍ରାମର ଭଦ୍ର ଲୋକଙ୍କ ମାଧ୍ୟମରେ ଆପୋଷ ସମାଧାନ ହୋଇଥିଲା । ଦୁଇ ପରିବାର ପାରାଦ୍ୱୀପରେ ରହି କବାଡି ବେପାର କରୁଥିବା ବେଳେ ସେଠାରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଦୁଇ ପରିବାର ଗ୍ରାମରେ କେହି ରହୁ ନଥିବା ଜଣାଯାଇଛି । ଗ୍ରାମରେ ଜାଗର ଯାତ୍ରାରେ ଯୋଗଦେବା ପାଇଁ ଦୁଇ ପରିବାର ଆସିଥିବା ବେଳେ ପୂର୍ବ ରାଗକୁ ନେଇ ଗତକାଲି ରାତି ୧ଟା ସମୟରେ ଏହା ଉଗ୍ରରୂପ ନେଇଥିଲା । ପ୍ରଥମେ କଥା କଟାକଟି ପରେ ଗୋବିନ୍ଦ ପ୍ରଧାନ(୫୫) ଓ ତାଙ୍କ ପୁଅ ସୀତାକାନ୍ତ ପ୍ରଧାନ(୩୫) ଦୁଇଜଣଙ୍କ ମାଡ଼ରେ ଶରତ କୁମାର ପଣ୍ଡା(୩୦)ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ବସନ୍ତ କୁମାର ପଣ୍ଡା(୨୫) ଗୁରୁତର ଆହତ ହୋଇ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ଶରତଙ୍କ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ପାଇଁ ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ଏବେ ଘଟଣାସ୍ଥଳରେ ଖଣ୍ଡପଡା ଏସ୍ଡିପିଓ ପ୍ରଭାତ ରଞ୍ଜନ ମଳିକ, ଫତେଗଡ ଏସଆଇଏମଡି ଜାଫ୍ରୁଳା, ମହିଳା ଏଏସଆଇ ଶ୍ରଦ୍ଧା ନାୟକ, ଜଗନାଥ ପ୍ରସାଦ ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ବେହେରା ଉପସ୍ଥିତି ରହି ଘଟଣାର ତଦନ୍ତ ଜାରିରଖିଛନ୍ତି । ଖୋର୍ଦ୍ଧାରୁ ଏକ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ଫତେଗଡ ପୁଲିସ ସୀତାକାନ୍ତ ପ୍ରଧାନକୁ ଗିରଫ କରିଥିବା ବେଳେ ପରିବାରର ଅନ୍ୟାନ୍ୟ ସଦସ୍ୟ ଫେରାରଥିବା ଜଣାଯାଇଛି । ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛି ।