ବଳଙ୍ଗା: ପୂର୍ବବିବାଦକୁ କେନ୍ଦ୍ରକରି ସୋମବାର ପୂର୍ବାହ୍ନରେ ବଳଙ୍ଗା ଥାନା ଅନ୍ତର୍ଗତ ଗଣ୍ଡସାହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୪ଜଣ ଆହତ ହୋଇଥିବା ନେଇ ଥାନାରେ ୨ଟି ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ପକ୍ଷରୁ ଥାନାରେ ପୃଥକ ପୃଥକ ଭାବେ ୨ଟି ମାମଲା ରୁଜୁକରାଯାଇ ଘଟଣାର ତଦନ୍ତ ଜାରିରହିିଛି ।
ସୂଚନା ମୁତାବକ ଗଣ୍ଡସାହି ଗ୍ରାମର ଫକିର ରାଉତ(୬୫) ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଫକିର ଓ ତାଙ୍କ ପୁଅ ଘରେ ନଥିବାର ସୁଯୋଗରେ ସେହି ଗ୍ରାମର କୃଷ୍ପଚନ୍ଦ୍ର ସ୍ୱାଇଁଙ୍କ ପରିବାର ଲୋକେ ହାତରେ ଠେଙ୍ଗା ଧରି ଫକିରଙ୍କ ଦୁଆରମୁଁହକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପାଟିଶୁଣି ଫକିରଙ୍କ ବୋହୂ ଲକ୍ଷ୍ମୀପ୍ରିୟା ରାଉତ ଆସି ପ୍ରତିବାଦ କରିବାରୁ ଆସାମୀମାନେ ତାଙ୍କୁ ଘୋଷାଡି ନେଇ ମାଡ଼ ମାରୁଥିବା ସମୟରେ ପୁଅ ଗୋବିନ୍ଦ ରାଉତ ଆସି ପ୍ରତିବାଦ କରିବାରେ ଆସାମୀ କଟୁରୀରେ ଆକ୍ରମଣ କରିବାରୁ ଗୋବିନ୍ଦଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।
ପରେ ଗ୍ରାମବାସୀମାନେ ଆସିବାରେ ଆସାମୀମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ପରେ ପୁଅ ଗୋବିନ୍ଦଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନରେ ଭର୍ତ୍ତିକରିଥିବା ନେଇ ଫକିର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅପରପକ୍ଷେ ଫକିରଙ୍କ ପରିବାର ଲୋକେ ଅଭୟ ସ୍ୱାଇଁଙ୍କ ପତ୍ନୀ କବିତା ସ୍ୱାଇଁ ଓ ଖୁଢୀଶାଶୁ ମିତା ସ୍ୱାଇଁଙ୍କୁ ଆକ୍ରମଣ କରିବାରୁ କବିତା ଓ ତାଙ୍କ ଖୁଡିଶାଶୁ ଆହତ ହୋଇଥିବା ନେଇ କବିତା ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।