ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ବଢ଼ିବାରେ ଲାଗିଛି । ମୋବାଇଲ ଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍, ଲାପଟପ୍, ସ୍ମାର୍ଟୱାଚ୍, ସ୍ମାର୍ଟ୍ ଚାର୍ଜର ଆଦି ଅନେକ ବସ୍ତୁ ଆମର ନିତିଦିନିଆ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏଣୁ ଏତେ ପରିମାଣରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ଫଳରେ ଇ-ୱେଷ୍ଟ୍ର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ପରିବେଶ ପ୍ରତି ଏହାର କ୍ଷତିକାରକ ପ୍ରଭାବ ରହିଥିବାରୁ ଏସବୁର ପ୍ରକ୍ରିୟାକରଣ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଓଡ଼ିଶାରେ ଗତ ଦୁଇ ବର୍ଷରେ ମୋଟ ୮୭୪ ଟନ୍ ଇ-ୱେଷ୍ଟ୍ ସଂଗୃହିତ ହୋଇଥିବା ଜଣାପଡ଼ିଛି ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଲୋକସଭାରେ ଇ-ୱେଷ୍ଟ୍ର ପରିଚାଳନା ନେଇ ଏକ ପ୍ରଶ୍ନ ରଖିଥିବା ବେଳେ ସାରା ଦେଶରେ ରାଜ୍ୟୱାରୀ କିଭଳି ଏହାର ପରିଚାଳନା ଏବଂ ପ୍ରକ୍ରିୟାକରଣ କରାଯାଉଛି ସେନେଇ ଉତ୍ତରରେ ତଥ୍ୟ ରଖିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ମନ୍ତ୍ରୀଙ୍କ ଉତ୍ତର ମୁତାବକ ଆମ ଦେଶରେ ବର୍ଷ ୨୦୧୭-୧୮ରେ ୭ ଲକ୍ଷ ୮ ହଜାର ୪୪୫ ଟନ୍, ୨୦୧୮-୧୯ରେ ୭ ଲକ୍ଷ ୭୧ ହଜାର ୨୧୫ ଟନ୍ ଏବଂ ବର୍ଷ ୨୦୧୯-୨୦ରେ ୧୦ ଲକ୍ଷ ୧୪ ହଜାର ୯୬୧ ଟନ୍ ଇ-ୱେଷ୍ଟ୍ ସୃଷ୍ଟି ହୋଇଛି । ହେଲେ ଏହାଠାରୁ କମ୍ ପରିମାଣର ଇ-ୱେଷ୍ଟ୍ ପ୍ରତିବର୍ଷ ସଂଗୃହିତ ହେଉଛି ।
ବର୍ଷ ୨୦୧୯-୨୦ରେ ସାରା ଦେଶରେ ମାତ୍ର, ୨ ଲକ୍ଷ ୨୪ ହଜାର ୪୧ ଟନ୍ ଇ-ୱେଷ୍ଟ୍ ସଂଗୃହିତ ହେବାସହ ଏହାର ପ୍ରକ୍ରିୟାକରଣ ହୋଇଛି । ଅର୍ଥାତ୍ ସୃଷ୍ଟି ହେଉଥିବା ଇ-ୱେଷ୍ଟ୍ର ମାତ୍ର ୨୦% ସଂଗ୍ରହ ହୋଇପାରିବା ସହ ଏହାର ପ୍ରକ୍ରିୟାକରଣ ହୋଇପାରିଛି । ଓଡ଼ିଶା କଥା ଦେଖିଲେ ରାଜ୍ୟରେ ଗତ ଦୁଇ ବର୍ଷରେ ମୋଟ ୮୭୪ ଟନ୍ ଇ-ୱେଷ୍ଟ୍ ସଂଗୃହିତ ହେବାସହ ଏହାର ପ୍ରକ୍ରିୟାକରଣ ହୋଇଛି । ସାରାଦେଶରେ ୨୮୦୮ଟି ଇ-ୱେଷ୍ଟ୍ କଲେକ୍ସନ ସେଣ୍ଟର ରହିଥିବା ବେଳେ ଓଡ଼ିଶାରେ ୮୧ଟି ରହିଛି ।
ସେହିଭଳି ସାରା ଦେଶରେ ୪୮୬ଟି ସଂସ୍ଥା ରହିଛି ଯୋଉମାନଙ୍କୁ ଇ-ୱେଷ୍ଟ୍କୁ ନଷ୍ଟ କରିବା କିମ୍ବା ସେଗୁଡ଼ିକୁ ପୁନଃବ୍ୟବହାର ଯୋଗ୍ୟ କରାଇବା ଲାଗି ଲାଇସେନ୍ସ ମିଳିଛି । ଓଡ଼ିଶାରେ ଏଥିମଧ୍ୟରୁ ୫ଟି ରହିଛି । ଏଣୁ ଏହି ସଂଖ୍ୟା ବଢ଼ିଲେ ଇ-ୱେଷ୍ଟ୍ ପ୍ରକ୍ରିୟାକରଣ ପରିମାଣ ମଧ୍ୟ ବଢ଼ିପାରିବ । ୨୦୨୫ ସୁଦ୍ଧା କେନ୍ଦ୍ର ସରକାର ୭୦% ଇ-ୱେଷ୍ଟ୍ ସଂଗ୍ରହ ଏହାର ପ୍ରକ୍ରିୟାକରଣ କରିବାକୁ ଟାର୍ଗେଟ୍ ରଖିଛନ୍ତି । ବର୍ତ୍ତମାନ ସାରା ଦେଶରେ ଇ-ୱେଷ୍ଟ୍ର ପରିଚାଳନା ପାଇଁ ୧୯୧୭ଟି ପ୍ରଡ୍ୟୁସର ସଂସ୍ଥା ରହିଛନ୍ତି । ଏଥିମଧ୍ୟରୁ ଓଡ଼ିଶାରେ ମାତ୍ର ୭ଟି ରହିଛି । ଦିଲ୍ଲୀରେ ସର୍ବାଧିକ ୫୫୨ଟି ଏବଂ ମହାରାଷ୍ଟ୍ରରେ ୪୪୫ଟି ରହିଛି ।