ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ । ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ଆଜିର ବାୟୁ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଖରାପ ସ୍ତରକୁ ଖସିଯାଇଛି । ବିଷାକ୍ତ ଧୂଆଁ ପୁରା ରାଜଧାନୀ ଦିଲ୍ଲୀକୁ ଘୋଡ଼ାଇ ରଖିଛି । ଦିଲ୍ଲୀ-ଏନସିଆର୍ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି ।
ପ୍ରଦୂଷଣ ରୋକିବାକୁ ହେଲେ ନଡ଼ା ପୋଡ଼ା ଉପରେ ରୋକ ଲଗାଇବାକୁ ପଡ଼ିବ । ପ୍ରତି ବର୍ଷ ଶୀତ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ତେଣୁ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବାକୁ ପଞ୍ଜାବ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଏପରି ଅବସ୍ଥାକୁ ଭୋଗିବାକୁ ଦିଲ୍ଲୀ ବାଧ୍ୟ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଗାଡ଼ିରୁ ବାହାରୁଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ । ଗତ କିଛି ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ସାଂଘତିକ ସ୍ତରକୁ ଖସି ଆସିଛି ।
ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ ଶହ ଉପରେ ରହୁଛି । ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି । ଆସନ୍ତା ୧୩ରୁ ଅଡ ଇଭେନ ଫର୍ମୁଲା ଲଗାଇବେ ଦିଲ୍ଲୀ ସରକାର । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ସବୁ କ୍ଲାସ ବନ୍ଦ କରିଦିଆଯାଇଛି । ସହରରେ ସମସ୍ତ ପ୍ରକାର ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖାଯାଇଛି । ଦିଲ୍ଲୀର ପ୍ରାୟ ସ୍ଥାନରେ ୫ଶହ ପାଖାପାଖି ରହିଛି ଏୟାର କ୍ବାଲିଟି ଇଣ୍ଡେକ୍ସ । ନୋଇଡ଼ା, ଗୁରଗ୍ରାମ, ଫରିଦାବାଦ, ଗାଜିଆବାଦ ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । କେବଳ ଦିଲ୍ଲୀ ନୁହେଁ ମୁମ୍ବାଇରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି । ମୁମ୍ବାଇରେ ପ୍ରଦୂଷଣ ମାନ ୧୬୫ କୁ ବଢ଼ିଯାଇଛି ।