ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଦେଶର ୧୩ଟି ସହରରେ ୫ଜି ଇଣ୍ଟରନେଟ୍ ସେବା ପ୍ରଚଳନ କରାଯାଇଛି । ଦେଶରେ ପ୍ରଥମ ଥର ଏହି ସେବା ଚାଲୁ କରାଯାଇଥିବାବେଳେ ଏହାର କାର୍ଯ୍ୟକାରିତା ନେଇ ଉପଭୋକ୍ତାମାନେ ଏବେମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଉପଭୋକ୍ତାଙ୍କ ମୋବାଇଲରେ କମ୍ପୁଟର ଭଳି ସ୍ପିଡ୍ ମିଳିପାରିବ ବୋଲି ସେବା ପ୍ରଦାନକାରୀ କମ୍ପାନୀଗୁଡିକ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଅର୍ଥାତ ଉପଭୋକ୍ତାମାନେ ସେମାନଙ୍କ ମୋବାଇଲ୍ରେ ୬୦୦ ଏମ୍ବିପିଏସ୍ (ମେଗାବାଇଟ୍ ପର୍ ସେକେଣ୍ଡ) ପାଇବେ ବୋଲି କୁହାଯାଇଛି । ରିଲାଏନ୍ସ ଜିଓ କମ୍ପାନୀ ଇତିମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀ ଭଳି ୪ଟି ସହରରେ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ ୫ଜି ସେବା ଯୋଗାଇଥିବା ଜଣାପଡିଛି । ଅପରପକ୍ଷରେ ଭାରତୀ ଏୟାରଟେଲ କମ୍ପାନୀ ଇତିମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବାରାଣସୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ନାଗପୁର ଓ ସିଲିଗୁଡି ଭଳି ୮ଟି ସହରରେ ସେମାନଙ୍କର ଉପଭୋକ୍ତାଙ୍କୁ ୫ଟି ହ୍ୟାଣ୍ଡସେଟ୍ ଯୋଗାଇଥିବା ଜଣାପଡିଛି ।
୫ଜି ସେବା ପାଇବା ପାଇଁ ଏହି ଦୁଇଟି କମ୍ପାନୀର ଉପଭୋକ୍ତାଙ୍କୁ ସେମାନଙ୍କର ସିମ୍କାର୍ଡ ବଦଳାଇବାକୁ ପଡିବ ନାହିଁ । ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ‘ବେଟା ଟ୍ରାଏଲ’ ଯୋଜନା ଅନୁଯାୟୀ ୫ଜି ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସେକେଣ୍ଡ ପିଛା ୧ ଗିଗାବାଇଟ୍ ପର୍ଯ୍ୟନ୍ତ ଅସରନ୍ତି ୫ଜି ସେବା ଗ୍ରାହକଙ୍କୁ ମିଳିବ ବୋଲି ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି। ଏଣିକି ୬ ଜିବି ଫାଇଲରେ ଥିବା ଦୁଇ ଘଣ୍ଟିଆ ହାଇ ଡେଫିନେସନ ଚଳଚ୍ଚିତ୍ର ବର୍ତ୍ତମାନ ୧ ମିନିଟ ୨୫ ସେକେଣ୍ଡରେ ଡାଉନଲୋଡ୍ ହୋଇପାରିବ । ଥରେ ସେମାନଙ୍କ ସହରରେ ୫ଜି ସେବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାପରେ ଉପଭୋକ୍ତାଙ୍କ ୫ଜି ମୋବାଇଲରେ ୪ଜି ବଦଳରେ ୫ଜି ଡିସ୍ପ୍ଲେ ଦେଖିବାକୁ ମିଳିବ ବୋଲି ଜଣାପଡିଛି । ତେବେ ପ୍ରଥମ ଥର ପ୍ରଚଳନ କରାଯାଇଥିବାରୁ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଉପଭୋକ୍ତାଙ୍କୁ କିଛି ମାସ ପାଇଁ ମାଗଣାରେ ୫ଜି ସେବା ଯୋଗାଇଦେବାକୁ ବିଏସଏନ୍ଏଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ ପ୍ରସ୍ତାବ ଦେଇଛନ୍ତି । ୫ଜି ସେବାରେ ସନ୍ତୁଷ୍ଟ ହେବାପରେ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ମୂଲ୍ୟ ତାଲିକା ଧାର୍ଯ୍ୟ କରିବାକୁ ସେ କହିଛନ୍ତି ।