ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟରେ ଖାଲିପଡିଥିବା ବିଚାରପତି (ଜଜ୍) ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ବୁଧବାର ୨୦ ଜଣଙ୍କ ନାମ ସୁପାରିସ କରିଛନ୍ତି । ପାଟନା ହାଇକୋର୍ଟ ପାଇଁ ରୁଦ୍ରପ୍ରକାଶ ମିଶ୍ର ଏବଂ ରମେଶ ଚନ୍ଦ୍ର ମାଲବ୍ୟଙ୍କ ନାମ ସୁପାରିସ କରାଯାଇଥିବାବେଳେ ମଧ୍ୟପ୍ରଦେଶ ହାଇକୋର୍ଟ ପାଇଁ ବିନୟ ସରାଫ୍, ବିବେକ ଜୈନ, ଆଶିଷ ଶ୍ରୋତି, ଅମିତ ସେଠ୍, ରାଜେନ୍ଦ୍ର କୁମାର ବାଣୀ, ପ୍ରମୋଦ କୁମାର ଅଗ୍ରୱାଲ, ବିନୋଦ କୁମାର ଦ୍ୱିବେଦୀ, ଦେବନାରାୟଣ ମିଶ୍ର ଓ ଗଜେନ୍ଦ୍ର ସିଂହଙ୍କ ନାମ ସୁପାରିସ କରାଯାଇଛି ।
ଗୁଆହାଟୀ ହାଇକୋର୍ଟ ପାଇଁ ଉନ୍ନିକ୍ରିଷ୍ଣନ ନାୟାର ଓ କୌଶିକ ଗୋସ୍ୱାମୀଙ୍କ ନାମ ସୁପାରିସ କରାଯାଇଥିବାବେଳେ ଉତ୍ତରାଖଣ୍ଡ ହାଇକୋର୍ଟ ପାଇଁ ସିଦ୍ଧାର୍ଥ ଶାହା ଓ ଆଲୋକ ମେହେରା, ପଞ୍ଜାବ ଓ ହରିୟଣା ହାଇକୋର୍ଟ ପାଇଁ ହରମିତ ସିଂହ ଗ୍ରେୱାଲ, ଦୀପିନ୍ଦର ସିଂହ ନଲୱା, ସୁମିତ ଗୋଏଲ, ସୁଦୀପ୍ତି ଶର୍ମା ଓ କୀର୍ତ୍ତି ସିଂହଙ୍କ ନାମ ସୁପାରିସ କରାଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମରେ ଜଷ୍ଟିସ ସଞ୍ଜୟ କିଷନ କାଉଲ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ସଦସ୍ୟ ରହିଛନ୍ତି ।