ଭୁବନେଶ୍ୱର: ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ସାରା ଓଡ଼ିଶା। କୁହାଯାଏ ମାଘ ଜାଡ଼ କମ୍ପେ ହାଡ଼। ମାଘରେ ବାଘ ଶୀତ। ବଦଳୁଥିବା ପାଣିପାଗର ଗତିବିଧି ଭିତରେ ପୂର୍ବବର୍ଷ ଅପେକ୍ଷା ଏ ବର୍ଷ କିନ୍ତୁ ଏ କଥାଟା ଶତ ପ୍ରତିଶତ ପ୍ରମାଣିତ ହୋଇଛି। ମୟୁରଭଞ୍ଜ ଶିମିଳିପାଳରେ ମାଇନସ ୦୧ ଡିଗ୍ରୀ ରହିଥିଲା ଗୁରୁବାର ରାତିର ପାରଦ। ଶିମିଳିପାଳର ଅଭ୍ୟନ୍ତର ଅଞ୍ଚଳ ବାରାହାକାମୁଡ଼ାରେ ମାଇନସ୍ ୧ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିବା ବେଳେ ଚହଲା ଓ ଗୁଡ଼ୁଗୁଡ଼ିଆରେ ୨ ଡିଗ୍ରୀ ସେଲସିଅସ୍ରେ ପାରଦ ପହଞ୍ଚିଛି। ଅନ୍ୟପକ୍ଷରେ ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ୱିନସିଟି ବି ଏବେ ଥରୁଛି। ଯେଉଁଠି ହାରାହାରି ୧୦ ଡିଗ୍ରୀ ତଳେ ପାରଦ ରହୁଥିବାବେଳେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲାରେ ତ ମାଇନସ୍ ଡିଗ୍ରୀକୁ ଖସି ଆସିଛି ଟେମ୍ପେରେଚର। ଗୁରୁବାର ରାତିରେ ରାଜ୍ୟର ୨୫ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଥିଲା। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟବାସୀଙ୍କୁ ଥଣ୍ଡାରୁ ନିସ୍ତାର ନାହିଁ। ସମ୍ଭାବ୍ୟ ସର୍ବନିମ୍ନ ପାରଦକୁ ଦେଖି ଶନିବାର ପାଇଁ କଟକ ଓ ଖୋର୍ଦ୍ଧା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୧ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳକୁ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏବର୍ଷ ଜାଡ଼ ମାଡ଼ରେ ବେହାଲ୍ ହୋଇଯାଇଛି ସହରିଆ ଜୀବନଯାତ୍ରା। ରାଜଧାନୀ ଭୁବନେଶ୍ୱର ହେଉ କି କଟକ। ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟ୍ୱିନସିଟିରେ ରେକର୍ଡ ଭାଙ୍ଗୁଛି ଶୀତ। ଗୁରୁବାର ରାତି ଥିଲା ଏ ବର୍ଷର ସବୁଠୁ ଅଧିକ ଥଣ୍ଡା ରାତି। ଭୁବନେଶ୍ୱରରେ ୯.୪ ଓ କଟକରେ ରେକର୍ଡ କରାଯାଇଥିଲା ୮.୬ ଡିଗ୍ରୀ ପାରଦ। ୨ ଦିନ ଧରି ଚତୁର୍ଥ ସର୍ବନିମ୍ନ ଥଣ୍ଡା ସହର ପାଲଟିଥିଲା ଭୁବନେଶ୍ୱର। ତେଣୁ ଏଭଳି ବାଘୁଆ ଶୀତକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ।









