ସମ୍ବଲପୁର: ୨୦୨୩-୨୪ ଅର୍ଥବର୍ଷରେ ଉନ୍ନତ ପ୍ରଦର୍ଶନ ପ୍ରତିପାଦିତ କରିଥିବା ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)କୁ ଆଜି କୋଲ୍ ଇଣ୍ଡିଆ ଲିମିଟେଡ୍ ଅଧ୍ୟକ୍ଷ ପିଏମ୍ ପ୍ରସାଦ ପ୍ରଶଂସା କରିଛନ୍ତି । ଏମ୍ସିଏଲ୍ର ସମ୍ବଲପୁରସ୍ଥିତ ନିଜ କର୍ପୋରେଟ୍ ଅଫିସ୍ରେ ଆୟୋଜିତ ହୋଇଯାଇଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ପୂର୍ବକ ଶ୍ରୀ ପ୍ରସାଦ, କମ୍ପାନୀର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରହିଥିବା ଅନେକଗୁଡିଏ ଚ୍ୟାଲେଞ୍ଜ୍ଗୁଡିକର ଫଳପ୍ରଦ ସମାଧାନ ତଥା ବାର୍ଷିକ ଲକ୍ଷ୍ୟ ହାସଲ ଦିଗରେ ସ୍ଥିର ଅଭିବୃଦ୍ଧି ବଜାୟ ରଖିବା ଦିଗରେ ସଫଳ ହୋଇଥିବାରୁ ଏମ୍ସିଏଲ୍କୁ ସେ ବେଶ୍ ପ୍ରଂଶସା ବ୍ୟକ୍ତ କରିଥିଲେ । କୋଲ୍ ଇଣ୍ଡିଆ’ର ପ୍ରଦର୍ଶନ କ୍ଷେତ୍ରରେ ଏମ୍ସିଏଲ୍କୁ ମୂଳଦୁଆ ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରସାଦ, ଏମ୍ସିଏଲ୍ର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ । ଏତଦ୍ବ୍ୟତୀତ ଦେଶର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାରେ ଏମ୍ସିଏଲ୍ର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିବା ସହ କମ୍ପାନୀର ନିରବଚ୍ଛିନ୍ନ ଅଭିବୃଦ୍ଧି ଉପରେ ସେ ଦୃଢ଼ ଆଶାବାଦୀ ରହିଥିବା ଶ୍ରୀ ପ୍ରସାଦ କହିଥିଲେ । ସମୀକ୍ଷା ବୈଠକରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏମ୍ସିଏଲ ସିଏମ୍ଡି ଉଦୟ ଏ କାଓଲେ, ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ, ନିର୍ଦ୍ଦେଶକ (ଅର୍ଥ) ଏକେ ବେହୁରା ଏବଂ ବୈଷୟିକ ପ୍ରକଳ୍ପ ଏବଂ ଯୋଜନା ନିର୍ଦ୍ଦେଶକ ଏକେ ବାପତ୍ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।