ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଥିବା ନବରତ୍ନ ଆଲୁମିନିୟମ୍ କମ୍ପାନୀ ନାଲକୋରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି । ୨୦୧୮ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ କୋଇଲା ଯୋଗାଣ ପାଇଁ ନାଲକୋ ସହ ଏମସିଏଲ ଚୁକ୍ତିନାମା କରିଥିଲା । ସେହି ଅନୁଯାୟୀ ଏମ୍ସିଏଲ୍ ବର୍ଷକୁ ୪୭ ଲକ୍ଷ ୧୬ ହଜାର ଟନ ଲିଙ୍କେଜ୍ କୋଇଲା ଓ ୯ ଲକ୍ଷ ଟନ ବ୍ରିଜ୍ ଲିଙ୍କେଜ୍ କୋଇଲା ଯୋଗାଉଥିଲା । କିନ୍ତୁ ୨୦୨୧-୨୨ରେ ଏମସିଏଲ୍ ୩୯ ଲକ୍ଷ ଟନ୍ ଲିଙ୍କେଜ୍ କୋଇଲା ଓ ୩ ଲକ୍ଷ ଟନ୍ ବ୍ରିଜ ଲିଙ୍କେଜ୍ କୋଇଲା ଯୋଗାଣ କରିଥିଲା; ଯାହାକି ଚୁକ୍ତିନାମାଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ କମ୍ ଥିଲା । ତେଣୁ ନାଲ୍କୋର ସିପିପିରୁ ପାୱାର ଉତ୍ପାଦନ କମ୍ ହେଉଥିଲା ।
ଆବଶ୍ୟକ ବିଦ୍ୟୁତ ଚାହିଦା ମେଣ୍ଟାଇବା ପାଇଁ ନାଲ୍କୋକୁ ରାଜ୍ୟ ଗ୍ରୀଡରୁ ଜୁଲାଇ ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୈନିକ ୨୦୦ ମେଗାୱାଟ ବିଦ୍ୟୁତ କ୍ରୟ କରିବାକୁ ପଡ଼ିଥିଲା । ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୫ ଲକ୍ଷ ଟନ୍ରୁ ଅଧିକ କୋଇଲା ଗଚ୍ଛିତ ରଖିବାକୁ ଥିବାବେଳେ ଯୋଗାଣ ଅଭାବରୁ ନାଲକୋ ମାତ୍ର ୩ ଲକ୍ଷ ଟନ କୋଇଲା ଗଚ୍ଛିତ ରଖିପାରିଥିଲା । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନିରନ୍ତର କୋଇଲା ଯୋଗାଣ ନହେବାରୁ ବର୍ତ୍ତମାନ ଦେଢ଼ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି । ଯେଉଁଥିରେ ୪୦ ହଜାର ଟନ କାର୍ପେଟ୍ କୋଲ ଅଛି ଯାହା ସମୂର୍ଣ୍ଣ ଅନୁପଯୋଗୀ କୋଇଲା । ପ୍ରତିଦିନ ନାଲକୋ ୧୮ରୁ ୧୯ହଜାର ଟନ୍ କୋଇଲା ଆବଶ୍ୟକ କରୁଛି । ଏଥିସହିତ ବର୍ଷାଦିନ ପୂର୍ବରୁ କୋଇଲା ଷ୍ଟକ୍ ମଧ୍ୟ ବଢ଼ାଇବା ଦରକାର ହେଉଛି ।
କିନ୍ତୁ ଏମସିଏଲ୍ ହାରାହାରି ଦୈନିକ ୧୩ରୁ ୧୪ହଜାର ଟନ୍ କୋଇଲା ନାଲକୋକୁ ଯୋଗାଣ କରୁଛି । ଫଳରେ ନାଲକୋରେ ଗଚ୍ଛିତ ଥିବା କୋଇଲା ଦିନକୁ ଦିନ ହ୍ରାସ ପାଉଛି । ପ୍ରକାଶ ଥାଉ କି, ଦୈନିକ ନାଲକୋ ନିଜସ୍ୱ ତାପଜ ବିଦ୍ୟୁତ୍ କେନ୍ଦ୍ର(ସିପିପି)ରେ ୧୦ରୁ ୮ଟି ୟୁନିଟରୁ ପ୍ରାୟତଃ ୯୧୦ରୁ ୯୧୫ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରୁଛି । ସେଥିରୁ ସ୍ମେଲଟର୍ ପାଇଁ ୭୯୨ ମେଗାୱାଟ, ଦାମନଯୋଡି ପାଇଁ ୧୬ ମେଗାୱାଟ ଓ ନିଜସ୍ୱ ସହାୟକ ଖର୍ଚ୍ଚ ୧୦୦ ମେଗାୱାଟ ଦରକାର କରୁଥିବାବେଳେ ନାଲକୋକୁ ନିରନ୍ତର କୋଇଲା ଯୋଗାଣ ନହେଲେ ଏହାର ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଥିସହ ରାଜ୍ୟ ଗ୍ରୀଡ୍ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ନାଲକୋକୁ ଅଧିକ ବିଦ୍ୟୁତ ଆମଦାନି ପାଇଁ ନିଜର ଅକ୍ଷମତା ପ୍ରକାଶ କରିସାରିଛି । ଏଭଳି ପରିସ୍ଥିତିରେ ଇ-ଅକ୍ସନ କୋଇଲା ବଜାର ଦରଠାରୁ ବହୁ ଅଧିକ ହୋଇଥିବାବେଳେ ତାହା ମଧ୍ୟ ଠିକ୍ ସମୟରେ ମିଳୁନାହିଁ ।
ଏ ସମ୍ପର୍କରେ ନାଲକୋର ଶ୍ରମିକ ନେତା ବିଭବ ଜେନା କୁହନ୍ତି, ୨୦୨୧-୨୨ରେ ଏମସିଏଲ୍ ସର୍ବାଧିକ ରେକର୍ଡ ୧୬୩ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ଚୁକ୍ତିନାମା ଅନୁଯାୟୀ ଏମସିଏଲ୍ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ନାଲକୋକୁ ଆବଶ୍ୟକତା କୋଇଲା ଯୋଗାଣ ନକରିବା ଉଦ୍ବେଗଜନକ । ଚୁକ୍ତି ଅନୁଯାୟୀ ରେଳବାଇ ମଧ୍ୟ ୧୪୦ଟି କୋଲ୍ ରାକ୍ ନାଲକୋକୁ ଯୋଗାଇବା କଥା। ତାହା ମଧ୍ୟ ରେଳବାଇ ଦେଉନାହିଁ । ସ୍ଥାନୀୟ ଶିଳ୍ପ ହିସାବରେ ଏକ ଲାଭଜନକ ସରକାରୀ ସଂସ୍ଥା ନାଲକୋକୁ ଅଗ୍ରାଧିକାର ଭିତ୍ତିରେ ଏମସିଏଲ କୋଇଲା ଯୋଗାଣ ଓ ରେଳବାଇ ରାକ ପ୍ରଦାନ କରୁ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏ ନେଇ ନାଲକୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ସମସ୍ତ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ଦେଖାଦେଇଛି । ସେହିଭଳି ନାଲକୋରେ ମଧ୍ୟ କୋଇଲା ସଙ୍କଟ ଦେଖାଦେଇଛି । ଏହି ସଙ୍କଟ ଲାଗିରହିଲେ ଭବିଷ୍ୟତରେ ଉତ୍ପାଦନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।