କଟକ : କଟକ ସହର ଓ ସହର ଉପକଣ୍ଠ ଅଞ୍ଚଳ ଅପମିଶ୍ରିତ ତଥା ନକଲି ଖାଦ୍ୟ ସାମଗ୍ରୀ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି । ଏହା ସହିତ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରି ସମ୍ପ୍ରତି ଜନସାଧାରଣଙ୍କ ଚିନ୍ତା ବଢ଼ାଇ ଦେଉଛି । ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରୁ ବାସୀ ତଥା ନଷ୍ଟ ହୋଇଯାଇଥିବା ଖାଦ୍ୟ ଜବତ କରାଯାଇଛି । ନାମୀଦାମୀ ବ୍ୟାନର୍ ତଳେ କିଭଳି ଏହି ପ୍ରତିଷ୍ଠାନ ଗ୍ରାହକଙ୍କୁ ଠକୁଥିଲେ ସେହି ଘଟଣାର ପର୍ଦ୍ଦାଫାସ କରିଛି ।
ସୂଚନା ଅନୁଯାୟୀ କଟକ ବାଦାମବାଡ଼ି ଅଞ୍ଚଳରେ ଥିବା କେଏଫ୍ସି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଏହି ସମୟରେ ଉକ୍ତ କାଉଣ୍ଟର୍ରୁ ବ୍ୟବହାର ବୈଧତା ଶେଷ ହୋଇଥିବା ୨୦କିଲୋଗ୍ରାମ୍ ଓଜନର ପାଉଁରୁଟି ଜବତ କରାଯାଇଥିଲା ।
ଏଥିସହିତ ଉକ୍ତ ପ୍ରତିଷ୍ଠାନର ସ୍ପେଶାଲ୍ ଖାଦ୍ୟ କୁହାଯାଉଥିବା ୧୦କିଲୋଗ୍ରାମ୍ କ୍ରିସ୍ପି ଚିକେନ୍ ମଧ୍ୟ ଜବତ କରାଯାଇଛି । ଏହି ଚିକେନ୍ ନଷ୍ଟ ହୋଇଯାଇଥିବା ସତ୍ତ୍ୱେ ଗ୍ରାହକଙ୍କୁ ବିକ୍ରି କରାଯାଉଥିଲା ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବ୍ୟବସାୟିକ ପ୍ରତିଷ୍ଠାନର ଖାଦ୍ୟ ବିକ୍ରୟ ପାଇଁ ଅନୁମତି ଥିବାରୁ ଏହି ନିମ୍ନମାନର ଖାଦ୍ୟ ସାମ୍ପୁଲ୍କୁ ଲାବୋରୋଟୋରୀକୁ ପଠାଯିବା ସହ ରିର୍ପୋଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସେହିଭଳି କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ଅଞ୍ଚଳରେ ଏକ ମିଠା ଦୋକାନରେ ଟିମ୍ ଚଢ଼ଉ କରି ପ୍ରସ୍ତୁତ କରାଯାଇଥିବା ନିମ୍ନମାନର ମିଠାଗୁଡ଼ିପକୁ ଜବତ କରିଥିବା ଜଣାପଡ଼ିଛି । କଟକ ସହରରେ ଦୁର୍ଗାପୂଜାଠାରୁ ଆରମ୍ଭ କରି କାଳୀପୂଜା ପର୍ଯ୍ୟନ୍ତ ସମସ୍ତ ପର୍ବପର୍ବାଣୀରେ ମିଠା ବଣ୍ଟନ କରାଯିବାର ପରମ୍ପରା ରହିଛି । ଏହି ସମୟରେ ଅଧିକ ମିଠା ବ୍ୟବସାୟ ହୋଇଥାଏ ।
ଏହାର ସୁଯୋଗ ନେଇ ସହରରେ ଥିବା ମିଠା ଦୋକାନୀମାନେ ଚାହିଦା ମୁତାବକ ମିଠା ତିଆରି କରିପାରୁନଥିବାବେଳେ ସହର ବାହାରେ ଥିବା ମିଠା ଦୋକାନୀମାନଙ୍କୁ ଅର୍ଡର ଦେଇ ମିଠା ପ୍ରସ୍ତୁତ କରି ନିଜ କାଉଣ୍ଟର୍ରେ ବିକ୍ରି କରିଥାନ୍ତି । ତେବେ ଏହାର ସୁଯୋଗ ନେଇ ଜଗତପୁର ଅଞ୍ଚଳର ଗୋଟିଏ ମିଠା ଦୋକାନରେ ନିମ୍ନମାନର ମିଠା ତିଆରି ହେଉଥିବା ଟିମ୍କୁ ସୂଚନା ମିଳିଥିଲା । ବିଶେଷକରି ଲଡ଼ୁ ତିଆରି ପାଇଁ ବେଶନ, ଘିଅ, ଚିନି ଆଦି ମୁଖ୍ୟତଃ ଆବଶ୍ୟକ ଥିବାବେଳେ ଏଠାରେ ବେଶନ ବଦଳରେ ମଇଦା ଓ ଆରାରୋଟ୍ ଭଳି ସାମଗ୍ରୀ, ରାସାୟନିକ ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ଲଡ଼ୁ ପ୍ରସ୍ତୁତ କରାଯାଉଥିଲା ।
ଏପରିକି ଲଡ଼ୁ ଗୋଟା ୩ଟଙ୍କାରେ ବ୍ୟବସାୟୀମାନଙ୍କୁ ସପ୍ଲାଇ କରାଯାଉଥିବାବେଳେ ବ୍ୟବସାୟୀମାନେ ଏହାକୁ କାଉଣ୍ଟରରେ ୮ରୁ ୧୦ଟଙ୍କାରେ ବିକ୍ରି କରୁଥିଲେ । ତେବେ ଜଗତପୁରରୁ ସହରର ବିଭିନ୍ନ ସ୍ଥାନକୁ ନିମ୍ନମାନର ଲଡୁ ସପ୍ଲାଇ କରାଯାଉଥିବା ଚଢ଼ଉ ସମୟରେ ଜଣାପଡ଼ିଛି । ସେଠାରୁ ୨୦କିଲୋଗ୍ରାମ୍ ତିଆରି ଲଡ଼ୁ ସହ ୨କ୍ୱିଣ୍ଟାଲ ପରିମାଣର ଗୋଳା ହୋଇଥିବା କଞ୍ଚାମାଲ ମଧ୍ୟ ଜବତ କରାଯାଇଛି। ଏଥି ସହିତ ଏହି ପ୍ରତିଷ୍ଠାନକୁ ସିଲ୍ କରାଯିବା ସହ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି । ତେବେ ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରିଣୀ ପ୍ରତୀକ୍ଷା ଦାସ ମହାପାତ୍ର ଓ ଭଗବାନ ଲେଙ୍କା ପ୍ରମୁଖ ସାମିଲ ହୋଇଥିଲେ ।