ଭୁବନେଶ୍ବର: ରାଜ୍ୟରେ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଖଣି ଲିଜ୍ଧାରୀ ଓ ଶିଳ୍ପପତି ମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଶିଳ୍ପାୟନ ଏବଂ ଦେଶରେ ଲୁହାପଥରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ପରିମାଣରେ ଲୁହାପଥର ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଓ ଶିଳ୍ପ ପ୍ରତିନିଧି ମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଉତ୍ପାଦନ ଓ ଡେସ୍ପ୍ୟାଚ୍ ପ୍ରତି ଗୁରୁତ୍ୱ ଦେଇ MDPA ଅନୁଯାୟୀ ସର୍ବନିମ୍ନ ବାଧ୍ୟତାମୂଳକ ସୀମାକୁ ଦୃଷ୍ଟି ରେ ରଖି ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଥିଲା।ରାଜ୍ୟରେ ଖଣି ବହୁଳ ଜିଲ୍ଲା ଗୁଡିକରେ ଶିଳ୍ପ ସଂଖ୍ୟା ବହୁତ କମ ରହୁଛି। ତେଣୁ ସେସବୁ ଜିଲ୍ଲା ଗୁଡିକରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇଥିଲେ।
ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଥିଲେ। ଏଥି ସହିତ ଶିଳ୍ପପତି ମାନେ ସ୍ଥାନୀୟ ବାସିନ୍ଦାଙ୍କର ମୌଳିକ ଆବଶ୍ୟକତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଥିଲେ।ଶିଳ୍ପ ପ୍ରତିଷ୍ଠା ପାଇଁ ବାଧ୍ୟତାମୂଳକ ବନୀକରଣ (Compensatory Afforestation) କ୍ଷେତ୍ରରେ ବିଭିନ୍ନ ଜିଲ୍ଲାରେ ଅଧିକୃତ ଜମି ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଉଛି, ଯାହା ଜରିଆରେ କେଉଁ ଜିଲ୍ଲାରେ କେତେ ଜମି ଉପଲବ୍ଧ ଅଛି ଖଣି ଲିଜ୍ଧାରୀ ଓ ଶିଳ୍ପପତିମାନେ ସେ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା କରାଯିବ ବୋଲି ସୂଚନା ଦିଆଗଲା।
ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ ପ୍ରତିବଦ୍ଧତା ଭାବ ପାଇଁ ଧନ୍ୟବାଦ ଦେଇଥିଲେ।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।ବୈଠକରେ ଟାଟା ଷ୍ଟିଲ୍ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ, ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନର ମହାସଚିବ ଶ୍ରୀ ଆଲୋକ ସହାୟ, JSWର ସଭାପତି ଶ୍ରୀ ଅନୀଲ କୁମାର ସିଂ AMNS India ର ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ମେହେଟ୍ଟା, ଓଏମ୍ସିର ଅଧ୍ୟକ୍ଷ ଶ୍ରୀ ଗିରିଶ ଏସ୍ ଏନ୍, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ସାମଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପ ପ୍ରତିନିଧି ମାନେ ଯୋଗଦେଇଥିଲେ।










