ଭୁବନେଶ୍ୱର: ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କଟକଣାକୁ ଆହୁରି କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ବଡ଼ଦିନ ତଥା ଖ୍ରୀଷ୍ଟମାସ ପର୍ବକୁ ଧୁମ୍ଧାମ୍ରେ ପାଳନ ଆଶା ମଉଳି ଯାଇଛି । ପର୍ବ ପାଳନ ଓ ଲୋକ ଗହଳି ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କଟକଣା ଲଗାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରୋନା ଗାଇଡ୍ଲାଇନ୍ ଅନୁଯାୟୀ ବଡ଼ଦିନ ପାଳନ କରିବା ପାଇଁ କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି । ବଡ଼ଦିନ ଓ ନୂଆ ବର୍ଷରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ ଏହାକୁ ଏଡାଇବା ପାଇଁ ପଦକ୍ଷେପ ନିଆଯିବ ।
କରୋନା ଗାଇଡ୍ ଲାଇନ୍ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଏବଂ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପବେଶ କରିବେ । ସେହିପରି ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖ?ବା ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କଟକଣାକୁ ଆମେ ପାଳନ କରିବୁ । ଯଦିଓ ରାଜ୍ୟରେ ଏବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇନି ତଥାପି ବିଶ୍ୱର ଅନେକ ସ୍ଥାନରେ ଓମିକ୍ରନ ବଢି ଚାଲିଛି ।
ତେଣୁ ସୁରକ୍ଷା ଦୃଷ୍ଟିରୁ ଆମେ ସତର୍କତା ଅବଲମ୍ବନ କରୁଛୁ । ବିଗତ ୨ଦିନରେ ସହରରେ ୬ଟି ସ୍ଥାନରେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି । ସେମାନଙ୍କର ଜିନମ୍ ସ୍ୱିକ୍ୱେନ୍ସିଂ ଚାଲିଛି । ସୁରକ୍ଷା ଦୃଷ୍ଟିରୁ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଦେଶ ଫେରନ୍ତାଙ୍କ ଯୋଗାଯୋଗରେ ରହୁଛୁ । ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ୭ଦିନ ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଉଛି । ପଜିଟିଭ୍ ଆସିଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଉଛି । ଏନ୍ଫୋର୍ସମେଣ୍ଟ ବଢୁଛି ।
ଭୁବନେଶ୍ୱରରେ ଏବେ ବି ଟେଷ୍ଟିଂ ଜୋରଦାର ରହିଛି । ବିଏମ୍ସିର ପୁରା ଟିମ୍ ଏଥିପ୍ରତି ସତର୍କ ରହିଛନ୍ତି ବୋଲି କମିଶନର ଶ୍ରୀ ସିଂହ କହିଛନ୍ତି । ସୂଚନା ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ମୋଟ୍ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଥିବାବେଳେ ୧୬ଟି ସଂଗରୋଧ ମାମଲା ରହିଛି । ଅନ୍ୟପଟେ ୮୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ୯୫୩ଟି ସକ୍ରିୟ ମାମଲା ରହିଛି ।