ଭୁବନେଶ୍ୱର : କୋଲକାତାରୁ ଧରାପଡ଼ିଲା ଚିଟ୍ଫଣ୍ଡ ଠକ । ୧୫ କୋଟି ଟଙ୍କା ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ମାସ୍ ଇନଫ୍ରା ରିଆଲିଟି ଲିମିଟେଡ୍ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି । କୋଲକାତା ନରେନ୍ଦ୍ରପୁର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତପନ କୁମାରଙ୍କୁ ଗିରଫ କରିଛି । ଚିଟ୍ଫଣ୍ଡ ଠକେଇ ଘଟଣାକୁ ନେଇ ତପନ ଫେରାର ଥିଲେ । ଆଜି ତପନଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରାଯିବ । ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭ ଦେବାର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଲୁଟୁଥିଲା ସଂସ୍ଥା । ପୂର୍ବରୁ ସଂସ୍ଥାର ଏମ୍ଡି ଗିରଫ ହୋଇ ଜେଲରେ ଅଛନ୍ତି । ୨୦୧୦ରେ ସଂସ୍ଥାର ନାଁ ମାସ୍ ଇନଫ୍ରା ରିଆଲିଟି ଲିମିଟେଡ ଥିବାବେଳେ ୨୦୧୨ରେ ନାଁ ପରିବର୍ତ୍ତନ କରି ହ୍ୟୁମାନ ୱେଲ୍ଫେୟାର କ୍ରେଡିଟ ଆଣ୍ଡ୍ ଥ୍ରିଫ୍ଟ କୋ-ଅପରେଟିଭ ସୋସାଇଟି ରଖାଯାଇଥିଲା । ତେବେ କମ୍ପାନୀର ଏକାଧିକ ନିର୍ଦ୍ଦେଶକ ଥିବାବେଳେ ସେମାନେ ଫେରାର ଅଛନ୍ତି । ୨୦୧୦ରେ ସଂସ୍ଥା ସ୍ଥାପନ କରାଯାଇ ଥିବାବେଳେ, ବାଲେଶ୍ୱର ଏବଂ କୋଲକାତାର ଚବିଶ ପ୍ରଗଣାରେ ଶାଖା ଖୋଲିଥିଲା ।