ନୂଆଦିଲ୍ଲୀ : ଭାରତ ଉପରେ ଆକ୍ରମଣ କରିବା ପାଇଁ ସଜବାଜ ହେଉଛି ଚୀନ୍ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ଏହାସହ ହ୍ୱାଇଟ୍ ହାଉସ୍ ପକ୍ଷରୁ ଶତ୍ରୁଙ୍କ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦିଆଯାଇଛି । ନିୟନ୍ତ୍ରଣ ରେଖାରେ ଚୀନ ସେନା ଏକାଠି ହେଉଥିବା ନେଇ ଖବର ମିଳିଛି । ସେମାନେ କୌଣସି ବି ମୁହୂର୍ତ୍ତରେ ଭାରତ ସୀମା ଭିତରକୁ ପ୍ରବେଶ କରିପାରନ୍ତି । ସୀମାରେ ହଲଚଲ ପରେ ଭାରତ-ଚୀନ ସୀମା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ତେବେ ନିୟନ୍ତ୍ରଣ ରେଖାରେ ଚୀନ ସେନା ଏକାଠି ହେବାର ଖବର ମିଳିବା ପରେ ଚିନ୍ତା ବଢିଛି । ତେବେ ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ସ୍ଥିରତା ବଜାୟ ରହୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ କ୍ୱାକ୍ ସମ୍ମିଳନୀ ଚାଲିଥିବା ବେଳେ ଚୀନର ଏମିତି ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଏହାସହ କୁଟନୈତିକ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ଭାରତକୁ ଘେରିବା ପାଇଁ ଚୀନ ଯୋଜନା କରୁଥିବା ଆମେରିକା କ୍ୱାକ୍ ସମ୍ମିଳନୀରେ କହିଛି । ହ୍ୱାଇଟ୍ ହାଉସ୍ରୁ ଏମିତି ସୂଚନା ପାଇବା ପରେ ଭାରତ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିପାରନ୍ତି । ଯେଉଁଥିଲେ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଭାରତ-ଚୀନ ବିବାଦ କିଛି ନୂଆ ନୁହେଁ । ବାରମ୍ବାର ନିୟନ୍ତ୍ରଣ ରେଖାରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରୁଥିବା ନଜିର ରହିଛି । ଏମିତିକି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ନେଇ ସୂଚନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ୨୮ ତାରିଖରେ ଚାଇନା ସ୍ପଷ୍ଟ ଭାବରେ କହିଥିଲା କି ସୀମାରେ ଯେଉଁ ବିବାଦ ଦେଖାଯାଇଛି ତାହା ଦୁଇ ଦେଶ ମଧ୍ୟରେ ରହିଛି । କିନ୍ତୁ ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ଅର୍ଥାତ୍ ଆମେରିକା ହସ୍ତକ୍ଷେପ ନକରିବା ଉଚିତ୍ । ଏହି ପ୍ରସଙ୍ଗରେ ଉଭୟ ଦେଶ ଆଲୋଚନା କରି ସମାଧାନ କରିବେ । ଏହାସହ ଲଦାଖରେ ଚୀନ୍ କରୁଥିବା କାର୍ଯ୍ୟକୁ ଭାରତ ଦୃଢଭାବରେ ବିରୋଧ କରୁଛି । ଆଉ ଏପରି ସମୟରେ ଭାରତ ଉପରେ ଆକ୍ରମଣ କରିବାକୁ ଚୀନ୍ ଯୋଜନା କରୁଥିବା ଖବର ଆମେରିକା ଦେବା ପରେ ପୁଣି ଥରେ ଚର୍ଚ୍ଚା ବଢିଛି ।