ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ମାଳଦ୍ୱୀପ ଏବେ ଭାରତ ହାତ ଛାଡି ଚୀନ୍ ସହ ନିଜ ବନ୍ଧୁତାକୁ ବିସ୍ତାରିତ କରିବା ଦିଗରେ ଲାଗିପଡିଛି । ଭାରତ ସହ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ଅଚାନକ ଚୀନ୍ ଗସ୍ତରେ ଯିବା ଏବଂ ସେଠାରୁ ଆସି ଭାରତକୁ ନିଜ ସୈନ୍ୟ ପ୍ରତ୍ୟାହାର କରିବାକୁ ଜୋରଦେଇ କହିବା ଭଳି ଘଟଣା ଏସବୁର ପ୍ରମାଣ ଥିଲା । ତେବେ ଏବେ ଆଉ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି, ଯାହାକି ଚୀନ୍ ସହ ମାଳଦ୍ୱୀପର ବନ୍ଧୁତା ବୃଦ୍ଧି ପାଉଥିବାକୁ ପ୍ରମାଣିତ କରୁଛି ।
ରିପୋର୍ଟ ଅନୁସାରେ ଭାରତ ମହାସାଗରରେ ଏବେ ଚୀନ୍ର ଏକ ଗୁପ୍ତଚର ଜାହାଜ ‘ଜିଆଙ୍ଗ୍ ୟୋଙ୍ଗ୍ ହଙ୍ଗ୍ ୩’ ଦ୍ରୁତ ଗତିରେ ମାଳଦ୍ୱୀପ ଆଡକୁ ଗତି କରୁଛି । ପ୍ରଥମେ ଏହା ଶ୍ରୀଲଙ୍କା ଅଭିମୁଖେ ଗତି କରୁଥିବା ବେଳେ ଶ୍ରୀଲଙ୍କା ନୌସେନା କିନ୍ତୁ ଏହାକୁ ଫେରିଯିବାକୁ କହିଥିଲା । ଫଳରେ ଏବେ ଏହା ମାଳଦ୍ୱୀପ ଆଡକୁ ଅଗ୍ରସର ହେଉଛି । ମାଳଦ୍ୱୀପ ସରକାର ମଧ୍ୟ ଚୀନ୍ର ଏକ ଗବେଷଣାଭିତ୍ତିକ ଜାହାଜ ମାଳଦ୍ୱୀପ ଅଭିମୂଖେ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି । ଚୀନ୍ ଜାହାଜକୁ ସ୍ୱାଗତ କରାଯିବ ବୋଲି ମାଳଦ୍ୱୀପ କହିଛି । ତେବେ ମାଳଦ୍ୱୀପ ସରକାର ଏହି ଅବସରରେ ନିଶ୍ଚିତ କରିଛନ୍ତି ଯେ, ଚୀନ୍ର ଜାହାଜ ଜିଆନ୍ ୟାଙ୍ଗ୍ ହଙ୍ଗ୍ ୩ ମାଳଦ୍ୱୀପର ଜଳସୀମାରେ କୌଣସି ଗବେଷଣା କରିବ ନାହିଁ । ପ୍ରକାଶ ଚୀନ୍ ପାଖରେ ‘ଜିଆଙ୍ଗ୍ ୟୋଙ୍ଗ୍ ହଙ୍ଗ୍ ୩’ ଭଳି ପ୍ରାୟ ୭ଟି ଗୁଇନ୍ଦା ଜାହାଜ ରହିଥିବା ବେଳେ ଏସବୁକୁ ବିଭିନ୍ନ ସାଗରରେ ମୁତୟନ କରିଛି ଚୀନ୍ । ତେବେ ଚୀନ୍ ଏସବୁକୁ ଗୁଇନ୍ଦା ଜାହାଜ ବଦଳରେ ରିସର୍ଚ୍ଚଭିତ୍ତିକ ଜାହାଜ ବୋଲି ଅଭିହିତ କରିଥାଏ ।
ଅନ୍ୟପକ୍ଷେ ଭାରତ ମହାସାଗରରେ ଚୀନ୍ର ଏପ୍ରକାର ଦଖଲକୁ ନେଇ ଭାରତୀୟ ନୌସେନା ସତର୍କ ହୋଇପଡିଛି । କାରଣ ଗତ ୯ବର୍ଷ ମଧ୍ୟରେ ଚୀନ୍ ସପ୍ତମ ଥର ପାଇଁ ଭାରତ ବିରୋଧରେ ଏପ୍ରକାର ଗୁଇନ୍ଦା ଜାହାଜକୁ ବ୍ୟବହାର କରୁଥିବା ଆଶଙ୍କା କରାଯାଉଛି । ଏହାପୂର୍ବରୁ ମଧ୍ୟ ଚୀନ୍ର ଗୁଇନ୍ଦା ଜାହାଜକୁ ଭାରତ ନିକଟବର୍ତ୍ତୀ ଜଳସୀମାରେଖାରେ ଠାବ କରାଯାଇସାରିଛି । ସୁତରାଂ ଭାରତୀୟ ନୌସେନା ଏବେ ଚୀନ୍ର ଏହି ଜାହାଜର ଗତିବିଧି ଉପରେ ନଜର ରଖିଛି । ତେବେ ଇଣ୍ଡିଆନ୍ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (ଇଇଜେଡ୍) ପରିସର ମଧ୍ୟରେ ଚୀନ୍ର ଏହି ଜାହାଜ କୌଣଓି ପ୍ରକାର ଗବେଷଣା କାର୍ଯ୍ୟକଳାପ କରିବାର ପ୍ରମାଣ ମିଳିନାହିଁ ।