32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଶାହଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

ଶାହଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ

ଇଟାନଗର: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଦୁଇଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିବାବେଳେ ଚୀନ୍ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ଗସ୍ତକାଳରେ ଶାହ ଚୀନ ସୀମାନ୍ତବର୍ତ୍ତୀ କିବିଥୁ ଗ୍ରାମରେ ‘ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତିି । ଏହି ପରିପ୍ରେକ୍ଷୀରେ ଶାହଙ୍କ ଗସ୍ତ ଚୀନ୍‌ର ଆଞ୍ଚଳିକ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ହୋଇଛି । ଭାରତ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ସୀମାରେ ଶାନ୍ତି ଅବସ୍ଥା ବଜାୟ ରହିବା ଅସମ୍ଭବ ହୋଇପଡିବ ବୋଲି ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଛନ୍ତି ।

ସୂଚନାଯୋଗ୍ୟ ଚୀନ୍ ସବୁବେଳେ ଅରୁଣାଚଳକୁ ନିଜର ଅଞ୍ଚଳ ବୋଲି ଦାବି କରୁଥିବାବେଳେ ଏହାକୁ ‘ଜାଙ୍ଗ୍‌ନାନ୍‌’ ନାମରେ ନାମିତ କରିଛି। କିଛିଦିନ ପୂର୍ବେ ଚୀନ୍ ସରକାର ଅରୁଣାଚଳର ୧୧ଟି ସ୍ଥାନର ପୁନଃନାମକରଣ କରିଥିଲେ । ତେବେ ଭାରତ ସରକାର ଏହାକୁ ଅସ୍ୱୀକାର କରିବା ସହ ଏଭଳି ନାମକରଣକୁ ଖାରଜ କରିଦେଇଛନ୍ତି । ଅରୁଣାଚଳ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଓ ରହିବ ବୋଲି ଭାରତ ସରକାର ଦାବି କରିଆସୁଛନ୍ତି । ଚୀନ୍ ପକ୍ଷରୁ ପୁନଃ ନାମକରଣ ପ୍ରକ୍ରିୟାକୁ ଆମେରିକା ମଧ୍ୟ ସମାଲୋଚନା କରିସାରିଛି । ଅରୁଣାଚଳରେ ନିଜର ଏକପାଖିଆ କାର୍ଯ୍ୟ ଯୋଗୁଁ ଭାରତ-ଚୀନ୍ ସମ୍ପର୍କ କ୍ଷୁଣ୍ଣ ହେବ ବୋଲି ଆମେରିକା ଚୀନ୍‌କୁ ଚେତାଇ ସାରିଛି । ଭାଇବ୍ରାଣ୍ଟ୍ ଭିଲେଜ୍ ପ୍ରୋଗ୍ରାମ ଅନୁଯାୟୀଚୀନ୍ ସୀମାନ୍ତବର୍ତ୍ତୀ ଅରୁଣାଚଳ ପ୍ରଦେଶର ସବୁ ଗ୍ରାମକୁ ସଂଯୋଗ କରାଯିବ ।

ଏଥିପାଇଁ ୪୮୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିରୁ ୨୦୨୩-୨୬ ମଧ୍ୟରେ ସଡକ ନିର୍ମାଣ ଯୋଜନାରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ଅରୁଣାଚଳ, ସିକ୍କିମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଲଦାଖକୁ ମଧ୍ୟ ସଡକ ପଥରେ ସଂଯୋଗ କରାଯିବାର କାର୍ଯ୍ୟକ୍ରମ ରହିଛି । ପୁନଶ୍ଚ ଚୀନ ସୀମାନ୍ତରେ ପ୍ରହରା ଦାୟିତ୍ୱରେ ଥିବା ଆଇଟିବିପି(ଇଣ୍ଡୋ ତିଽତାନ ବର୍ଡର ପୁଲିସ) ପାଇଁ ୪୭ଟି ନୂତନ ପୋଷ୍ଟ (ଘାଟି) ଓ ୧୨ଟି ଅସ୍ଥାୟୀ ଶିବିର ନିର୍ମାଣ ଯୋଜନା ମଧ୍ୟ ରହିଛି । ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅସ୍ଥାୟୀ ଶିବିର ନିର୍ମାଣ କରାଗଲେ ଆଇଟିବିପିର ଅଧିକାଂଶ ଯବାନ ସେଠାରେ ବିଶ୍ରାମ ନେଇପାରିବେ । ସବୁଦ୍ର ପତନଠାରୁ ୧୫ ହଜାର ଫୁଟରେ ଆଇଟିବିପି ଯବାନ ପହରା ଦେଉଥିବାବେଳେ ସମସ୍ତଙ୍କୁ ପ୍ରତିକୂଳ ପାଣିପାଗର ସମ୍ମୁଖୀନ ହେବାକୁ ପଡୁଛି । ୨୦୧୭ରେ ଡୋକ୍‌ଲାମ୍ ଏବଂ ୨୦୨୦ ଜୁନ୍‌ରେ ଲଦାଖରେ ଚୀନ୍ ସୈନ୍ୟଙ୍କ ଆକ୍ରମଣାତ୍ମକ ମନୋବୃତ୍ତି ପରିପ୍ରେକ୍ଷୀରେ ମୋଦୀ ସରକାର ଚୀନ୍ ସୀମାରେ ନିଜର ସୈନ୍ୟବଳ ଓ ଭିତ୍ତିଭୂମିକୁ ସୁଦୃଢ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking