ଅହମ୍ମଦାବାଦ: ଷ୍ଟାର ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଏଚ୍ଏସ୍ ପ୍ରଣୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପିଠି ଯନ୍ତ୍ରଣା ଯୋଗୁଁ ଏକାଧିକ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ୩୧ ବର୍ଷୀୟ ଏହି ଖେଳାଳି ପ୍ରଥମ ରାଉଣ୍ଡରେ ବିଶ୍ୱର ୧୨ ନମ୍ବର ଖେଳାଳି ଚେନ୍ଙ୍କୁ ୨୧-୧୮ ଓ ୨୨-୨୦ରେ ପରାସ୍ତ କରି ଜାପାନରେ ଗତ ସପ୍ତାହରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି । ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ବିଜେତା ପଣୟ ପରବର୍ତ୍ତୀ ରାଉଣ୍ଡରେ ହଂକଂର ଲି ଚେଉକ ୟିୟୁ କିମ୍ବା ଡେନମାର୍କର ମାଗ୍ନସ୍ ଜୋହାନନେସ୍ଙ୍କୁ ଭେଟିବେ ।
ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ନିଜ ବର୍ଗରେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କୀରିଛନ୍ତି । ପ୍ରଥମ ମୁକାବିଲାରେ ଏହି ଯୋଡଇ ଇଂଲଣ୍ଡର ବେନ୍ ଲେନ୍ ଓ ସେନ୍ ଭେଣ୍ଡିଙ୍କୁ ୨୧-୧୩ ଓ ୨୧-୧୦ରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଏମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ ଜାପାନର ଅକିରା କୋଗା ଓ ତାଇଚି ସାଇତୋଙ୍କୁ ଭେଟିବେ । ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିଥିବା ଏକମାତ୍ର ଭାରତୀୟ ଚ୍ୟାଲେଞ୍ଜର ଆକାରି କାଶ୍ୟପ ପ୍ରଥମ ରାଉଣ୍ଡରେ ଚୀନର ଝାଙ୍ଗ୍ ୟି ମ୍ୟାନ୍ଙ୍କଠାରୁ ୩୩ ମିନିଟରେ ୧୨-୨୧ ଓ ୧୪-୨୧ ଗେମ୍ରେ ପରାସ୍ତ ହୋଇଛନ୍ତି ।