ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କୌଶଳୀ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗୁରୁବାର ଠାରୁ ତିନିଦିନ ଧରି ଭୁବନେଶ୍ୱରର ୩ଟି ଉଚ୍ଚ ବିଦ୍ୟାଳୟ- ୟୁନିଟ୍ ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍ ୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ୍ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି । ବ୍ଲକ ସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଏଥିରେ ଯୋଗ ଦେଇଛନ୍ତି । ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ମୋ ସ୍କୁଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବିଦ୍ୟାଳୟଗୁଡିକରେ ସ୍କୁଲ କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି ।
ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ୍ କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ସଫଳ ପରିଚାଳନା ପାଇଁ ଏବେ ମୁଖ୍ୟ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ରାଜ୍ୟସ୍ତରରେ ଦିଆଯାଉଛି । ଗତ ସପ୍ତାହରେ କ୍ରୀଡାଙ୍ଗ କ୍ଲବ ନିମନ୍ତେ ପ୍ରଶିକ୍ଷଣ ଶେଷ ହୋଇଛି । ଏବେ କୌଶଳୀ କ୍ଲବର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରଶିକ୍ଷକମାନେ ବ୍ଲକ ସ୍ତରରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦେଉଛି ।