ନୟାଗଡ: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜନ୍ମିତ ଶିଶୁ ନିଖୋଜ ଘଟଣାରେ ୱାର୍ଡ ୨ଜଣ ଆଟେଣ୍ଡାଣ୍ଟ ଓ ଜଣେ ଆଶାକର୍ମୀ ଗିରଫ ହୋଇଛନ୍ତି । ମା’ କୋଳରୁ ଶିଶୁଟି ଗାଏବ ହେବାର ୭ଦିନ ପରେ ପୁଲିସ ଶିଶୁକୁ ଭୁବନେଶ୍ୱରରୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ନିଜ ହେପାଜତରେ ରଖିଛି । ପୁଲିସର ଛାନ୍ଭିନ ପରେ ଏଥିରେ ସମ୍ପୃକ୍ତ ୨ଜଣ ୱାର୍ଡ ଆଟେଣ୍ଡାଣ୍ଟ ଓ ଜଣେ ଆଶାକର୍ମୀଙ୍କୁ ଗିରଫ କରାଯାଇଥିବା ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । ସେମାନେ ହେଲେ ନୋତରର ଆଶାକର୍ମୀ ଭାନୁମତୀ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୱାର୍ଡ ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ କମଳା ଦେଈ ।
ସୂଚନାଯୋଗ୍ୟ ନୟାଗଡ଼ ବ୍ଲକ୍ ଇଟାମାଟି ଥାନା ଅନ୍ତର୍ଗତ ନୋତର ଗ୍ରାମର ଜଲି ସ୍ୱାଇଁ ପୁଅଟିଏ ଜନ୍ମକଲା ପରେ ଜନ୍ମିତ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଜଲିଙ୍କ ସ୍ୱାମୀ ରବି ସ୍ୱାଇଁ ଥାନାରେ ଅଭିଯୋଗ କରିଥିଲେ । ଗତ ୨୮ ତାରିଖରେ ଜଲି ପ୍ରସବ ପାଇଁ ଆଶାଦିଦିଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପୁଅଟିଏ ମଧ୍ୟ ଭଲରେ ଜନ୍ମ ଦେଇଥିଲେ । ପୁଅର ଅବସ୍ଥା ଭଲଥିଲେ ମଧ୍ୟ ଆଶା ଦିଦି ପୁଅଟିକୁ ମେଡିକାଲ ବେଡ୍ରୁୁ ଟିକା ଦେବା ପାଇଁ ଜଲିଙ୍କ ପାଖରୁ ବାହାରକୁ ନେଇଥିଲେ ।
ହେଲେ ପୁଅକୁ ଟିକା ଦେଇ ଆଉ ଫେରାଇ ନଥିଲେ । ବେଶୀ ଡେରି ହେବାରୁ ଜଲି ଓ ଜଲିଙ୍କ ସ୍ୱାମୀ ତାଙ୍କ ପୁଅକୁ ଖୋଜିବା ସହିତ ପୁଅକୁ ନେଇଥିବା ଦିଦିଙ୍କୁ ଖୋଜାଖୋଜି କରିଥିଲେ । ହେଲେ ଆଉ କାହାରିକୁ ପାଇନଥିଲେ । ଏହାକୁ ନେଇ ଜଲିଙ୍କ ସ୍ୱାମୀ ରବି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ପୁଅକୁ ଟିକା ଦେବାକୁ ନେଇ ଆଉ କାହାକୁ ବିକ୍ରି କରିଦେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ତେବେ ପୁଲିସର ଅନୁସନ୍ଧାନ ପରେ ଶିଶୁପୁତ୍ରକୁ ଭୁବନେଶ୍ୱରରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ଜଣାପଡ଼ିଛି ।