ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ ନମ୍ବର୍ ଖୁଆଡ଼ରେ ରହୁଥିବା ଏକ ୧୦ ମାସର ସାଧାରଣ ରଙ୍ଗର ମହାବଳ ବାଘ ଛୁଆର ଆଜି ମୃତ୍ୟୁ ଘଟିଛି। କେଉଁ କାରଣରୁ ତାର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି।ସୂଚନା ଅନୁଯାୟୀ ୨୮-୩-୨୦୨୧ ରେ ସାଧାରଣ ରଙ୍ଗର ମହାବଳ ସେଫ୍ ଓ ଧଳା ବାଘୁଣୀ ବିଜୟାର ମିଳନରେ ଜନ୍ମ ନେଇଥିଲେ ତିନୋଟି ବାଘ୍ ଶାବକ।
ସେହିଦିନ ଠାରୁ ନନ୍ଦନକାନନ ପ୍ରାଣିଉଦ୍ୟାନର ପ୍ରାକୃତିକ ମନଲୋଭା ପରିବେଶରେ ବଢ଼ିଆସୁଥିବାବେଳେ ଆଜି ସକାଳୁ ହଠାତ୍ ରକ୍ତ ଝାଡା ହୋଇଥିଲା । ଅପରାହ୍ନରେ ଅଚାନକ ମୃତ୍ୟୁ ବରଣ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେପଟେ ଓୟୁଏଟିର ବିଶେଷଜ୍ଞ ମାନେ ପହଞ୍ଚିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିବାବେଳେ ନନ୍ଦନକାନନରେ ବର୍ତ୍ତମାନ ବାଘ ସଂଖ୍ୟା ୨୫କୁ ଖସି ଆସିଛି।