ବରଗଡ଼: ଦୁଇ ସପ୍ତାହ ପରେ ଅର୍ଥାତ ଆସନ୍ତା ୨୭ ତାରିଖରୁ ବରଗଡ଼ରେ ଐତିହାସିକ ଧନୁଯାତ୍ରା ଆରମ୍ଭ ହେବ। କୋଭିଡ-୧୯ କଟକଣା ଯୋଗୁଁ ୨ ବର୍ଷ ଧନୁଯାତ୍ରାର ଆୟୋଜନ ହୋଇପାରି ନଥିଲା। କିନ୍ତୁ ଏଥର ଧନୁଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା ବେଳେ କଳାକାର, ବରଗଡ଼ବାସୀଙ୍କ ପାଇଁ ଏକ ଅଶୁଭ ଖବର ଆସିଛି। ଧନୁଯାତ୍ରାର ଶିଶୁ କଳାକାର ଶ୍ରେୟସ ପୂଜାରୀ (୧୨)ଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ସେ ଚଳିତ ଧନୁଯାତ୍ରାରେ ବଳରାମ ଚରିତ୍ରରେ ଶୈଶବ ଲୀଳାରେ ଅଭିନୟ କରିଥାଆନ୍ତେ। ସୂଚନା ଅନୁସାରେ ଶ୍ରେୟସ ଅନ୍ୟ ଦିନ ଭଳି ଆଜି ମଧ୍ୟ ନିଜର ସ୍କୁଲ (ସରସ୍ବତୀ ଶିଶୁ ମନ୍ଦିର, ହିନ୍ଦୀ ବିଭାଗ) ଯାଇଥିଲେ। ସେ ଅପରାହ୍ଣ ୨ଟାରେ ଘରକୁ ଫେରିଥିଲେ। ମଧ୍ୟାହ୍ଣ ଭୋଜନ ଖାଇସାରି ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଏହି ଖେଳିବା ସମୟରେ କୌଣସି କାରଣରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।