ମୁମ୍ବାଇ : ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଦି ଓଭାଲ୍ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଖେଳାଯିବ । ଏହି ମ୍ୟାଚ୍ ପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବାର ପ୍ରସ୍ତାବ ରହିଛି । ଏହି ସିରିଜ୍ ପୂର୍ବରୁ ବିସିସିଆଇ ପକ୍ଷରୁ ଚୟନ କମିଟି ମୁଖ୍ୟଙ୍କୁ ନିଯୁକ୍ତି ଦିଆଯିବ । ଗତ ଫେବୃଆରୀରେ ଏକ ଷ୍ଟିଙ୍ଗ୍ ଅପରେସନ୍ ପରେ ଚୟନ କମିଟି ମୁଖ୍ୟ ପଦରୁ ଚେତନ ଶର୍ମା ଇସ୍ତଫା ଦେବା ପରେ ଅଦ୍ୟାବଧି ଏହି ପଦଟି ଖାଲି ପଡ଼ିଛି । ନିୟମ ଅନୁସାରେ, ଚୟନ କମିଟିର ସଦସ୍ୟଙ୍କ ମଧ୍ୟରୁ ବରିଷ୍ଠ ସଦସ୍ୟଙ୍କୁ ଏହି ପଦ ମିଳିଥାଏ । ଏ ଦୃଷ୍ଟିରୁ ଓଡ଼ିଶାର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ଶିବ ସୁନ୍ଦର ଦାସ ଏହି ପଦ ପାଇଁ ହକ୍ଦାର । ସେହିପରି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ଓ ତାଙ୍କ ଟିମ୍ ଏବଂ ଚଳିତ ଆଇପିଏଲ୍ର ପ୍ଲେଅଫ୍ ସହ ଜଡ଼ିତ ହେବାକୁ ନ ଥିବା ଖେଳାଳିମାନେ ଧାର୍ଯ୍ୟ ସମୟଠାରୁ ଯଥେଷ୍ଟ ପୂର୍ବରୁ ଇଂଲଣ୍ଡ ଗସ୍ତ କରି ଆଗାମୀ ଡବ୍ଲ୍ୟୁଟିସି ଫାଇନାଲ୍ ସକାଶେ ପ୍ରସ୍ତୁତି କରିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ।