17.1 C
Bhubaneswar
Tuesday, February 3, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ  ବିଭାଗୀୟ   କାର୍ଯ୍ୟ  ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ  ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ  ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍)  କାର୍ଯ୍ୟକାରିତାର ସୁପରିଚାଳନା ସଂପର୍କରେ ଅନୁଧ୍ୟାନ କରି  ଆବଶ୍ୟକ ନିର୍ଦ୍ଦେଶ  ଓ ପରାମର୍ଶ ଦେଇଥିଲେ । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶା  ରାଜ୍ୟ ଯୋଗାଣ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶକକେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ସମ୍ପୃକ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଚଳିତ ୨୦୨୫-୨୬ ଧାନ କ୍ରୟ ଋତୁ  ପାଇଁ ୧୯ ଲକ୍ଷ ୬୭ ହଜାର ୮୧୨ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଖରିଫ ୨୦୨୫-୨୬ ପାଇଁ  ମୋଟ ଧାନ ଚାଷ ଅଂଚଳ ୬୧ ଲକ୍ଷ ୬୭ ହଜାର ୪୧୪ ଏକର ପଂଜୀକୃତ ହୋଇଛି । ୨୦୨୪-୨୫ ରେ ୭୩. ୪୫ ଲକ୍ଷ ମେଟ୍ରିକ୍ ଟନ ଖରିଫ ଏବଂ ୧୯. ୧୮  ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଥିଲା।

ଚଳିତ ଜାନୁଆରୀ ୩ ତାରିଖ  ସୁଦ୍ଧା ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି  ପ୍ରାୟ ୧୧ .୮୪   ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ୨, ୭୧, ୩୧୮ ଜଣ ଚାଷୀ ୧୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି । ଧାନ ଅମଳ ସ୍ଥିତିକୁ ଦୃଷ୍ଟିରେ ରଖି  ଅନ୍ୟ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ଜାରି ରହିଛି । ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନେ ସେମାନଙ୍କର ଧାନ ଯେପରି ସୁବିଧାରେ ବିକ୍ରୟ କରିପାରିବେସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ  ବୈଷୟିକ ଜ୍ଞାନକୌଶଳର  ଉପଯୋଗ କରାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ  ସାଟେଲାଇଟ୍ ଇମେଜରି ବ୍ୟବହାର ସହାୟକ ହୋଇଛି । ଚାଷୀମାନଙ୍କୁ ବିଭିନ୍ନ ସୋସାଇଟି ସହିତ ସଂଯୁକ୍ତ କରାଯିବା, ଟୋକନ୍ ବ୍ୟବସ୍ଥା, ଧାନର ଗୁଣାତ୍ମକତା ଯାଂଚ, ମିଲରମାନଙ୍କ ଦ୍ୱାରା ଧାନ ଉଠାଯିବା,  ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରେରଣ , ମିଲର ମାନଙ୍କ ଠାରୁ ନିର୍ଦ୍ଧାରିତ ସମ ପରିମାଣର ଚାଉଳ ସଂଗ୍ରହ  ଏବଂ  ବ୍ୟବସ୍ଥାର ସୁପରିଚାଳନାସଂପର୍କରେ  ମୁଖ୍ୟ ଶାସନ ସଚିବ ବିସ୍ତୃତ ଅନୁଧ୍ୟାନ କରିବା  ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ  ।

ଧାନ ସଂଗ୍ରହ ପ୍ରକ୍ରିୟାର ସୁବ୍ୟବସ୍ଥା ପାଇଁ ସିସିଟିଭି ତଦାରଖ ବ୍ୟବସ୍ଥା, ମଣ୍ଡି ନୋଟାଲ ଅଧିକାରୀଙ୍କ ପାଇଁ  ମୋବାଇଲ ଆପ୍ଲିକେସନ୍ସ ସୁବିଧା, ମଣ୍ଡିରୁ ମିଲର୍ସ ଡିପୋ ପର୍ଯ୍ୟନ୍ତ ଧାନ ସଂଗ୍ରହ ପାଇଁ ନିୟୋଜିତ ଯାନର  ଗତି ସଂପର୍କରେ ଅନ ଲାଇନ୍ ଟ୍ରାକିଂ,  କୌଣସି କାରଣରୁ ପ୍ରକ୍ରିୟାରେ ବିଳମ୍ବ ଦୃଷ୍ଟିକୁ ଆସିଲେ ତୁରନ୍ତ ସମାଧାନ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା ।  ଏଥିପାଇଁ ଚବିଶ ଘଣ୍ଚିଆ କଲ ସେଣ୍ଟର ( ସହାୟତା କେନ୍ଦ୍ର) କାର୍ଯ୍ୟକରୁଥିବା , ଜରୁରୀ ଆବଶ୍ୟକତା ପାଇଁ ତ୍ୱରିତ  କାର୍ଯ୍ୟାନୁଷ୍ଠାନ, ଫିଡ୍ ବ୍ୟାକ୍ ସେବା ଆଦି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାକୁ ୧୪୧୮ ମିଲର୍ସ ନିୟୋଜିତ ହୋଇଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ  ଅଧିକ ଧାନ ସଂଗ୍ରହ ହେଉଥିବାରୁ  ସେହି ଅନୁସାରେ ଚାଉଳକୁ ସଂଗ୍ରହ କରି ରଖିବା ପାଇଁ ସ୍ଥାନର ଅଭାବ ପୂରଣ କରିବାକୁ  ଅଧିକ ସ୍ମାର୍ଟ ଗୋଦାମ ବ୍ୟବସ୍ଥା କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।୨୬୦୦ ପ୍ରାଥମିକ କୃଷି ସମବାୟ ସମିତି, ୪୦୦ରୁ ଊର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ପାଣି ପଞ୍ଚାୟତ ସହଯୋଗରେ ପ୍ରାୟ ୪୦୦୦  ଧାନ ସଂଗ୍ରହ କେନ୍ଦ୍ର ଏହି ପ୍ରକ୍ରିୟାରେ ସାମିଲ ରହିଛନ୍ତି । ରାଜ୍ୟରେ  ୬.୫ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ରଖୁଥିବା ୧୬୨ଟି ସରକାରୀ ଗୋଦାମ ବ୍ୟବହାର କରାଯାଉଛି ।

ସେହିପରି ସାରା ରାଜ୍ୟରେ ଖାଦ୍ୟଶସ୍ୟ ପରିବହନ ଓ ବଣ୍ଟନ ପାଇଁ ୧୧,୭୦୦ ରୁ ଅଧିକ ସୁଲଭ ଖାଉଟି ଦୋକାନକାର୍ଯ୍ୟ କରୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍  ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ରାଜ୍ୟର୩ କୋଟି୨୭ ଲକ୍ଷ ୮୩ ହଜାର ୬୭୩ ଜଣ ହିତାଧିକାରୀଙ୍କୁ ରାସନ ଚାଉଳ ଯୋଗାଇ  ଦିଆଯାଉଛି ।ରାଜ୍ୟରେ ଖାଉଟି ସାମଗ୍ରୀ ବଣ୍ଟନ କରାଯାଉଥିବା ୯୬  ପ୍ରତିଶତ ହିତାଧିକାରୀଙ୍କର  ଇ-କେଓ୍ୱାଇସି ଯାଂଚ କରାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଥିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସନ୍ତୋଷ ବ୍ୟକ୍ତ କରିଥିଲେ । ଚାଷୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିଗୁଡିକରୁ ଠିକ୍ ସମୟରେ ଧାନ ଉଠିବା, ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା, ଚାଷାମାନେ ଅସୁବିଧାର ସମ୍ମୁଖୀନ ନହୋଇ  ସେମାନଙ୍କର ପ୍ରାପ୍ୟ ସୁବିଧାରେ ପାଇବାଏବଂ ସାମଗ୍ରିକ ବ୍ୟବସ୍ଥାର ସୁପରିଚାଳନା ପାଇଁ କଲ ସେଣ୍ଟର ତଥା କଣ୍ଟ୍ରୋଲ ରୁମ କାର୍ଯ୍ୟକାରିତା ନିୟମିତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking