32.1 C
Bhubaneswar
Saturday, September 28, 2024
Homeଓଡିଶାନବନଯୁକ୍ତ ୫୭୨ ପ୍ରିନ୍ସିପାଲ୍‌,ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ଓଏଭିକୁ ଦେଶରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କର

ନବନଯୁକ୍ତ ୫୭୨ ପ୍ରିନ୍ସିପାଲ୍‌,ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ଓଏଭିକୁ ଦେଶରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କର

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ୫୪୨ ପ୍ରିନ୍ସିପାଲ୍ ଓ ଶିକ୍ଷକ ଯୋଗ ଦେଇଛନ୍ତି । ଏହା ବ୍ୟତୀତ ୩୦ ପ୍ରିନ୍ସିପାଲ୍ ଓ ଶିକ୍ଷକ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଲୟରେ ଯୋଗଦେଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ମୋଟ୍ ୫୭୨ ନିଯୁକ୍ତି ପତ୍ର ପାଇଛନ୍ତି । ମଙ୍ଗଳବାର ଲୋକସେବା ଭବନସ୍ଥ ସମ୍ମିଳନୀ କକ୍ଷରେ ନିଯୁକ୍ତି ପର୍ବ ସହ ଏକ ପ୍ରଶୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଦେଶରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ ବୋଲି ନବନିଯୁକ୍ତ ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶିକ୍ଷାଦାନରେ ଗୁଣବତ୍ତା ସର୍ବାଧିକ ଗୁରୁତ୍ୱ ବହନ କରେ । ଆପଣମାନେ ହିଁ ଛାତ୍ରମାନଙ୍କ ପାଇଁ ଅସଲ ହିରୋ, କିନ୍ତୁ ନୂତନ ଓଡ଼ିଶା ପାଇଁ ଜଣେ ସ୍ଥପତି । ତେଣୁ ଭଲ ଶିକ୍ଷାବିତ୍‌ଙ୍କର ବଡ଼ ସଫଳତା ହେଉଛି ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣସତ୍ତାକୁ ଦେଖିପାରିବା । ତାହା ପିଲାମାନଙ୍କ କ୍ଷେତ୍ରରେ ବଡ଼ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରେ । ସେମାନେ କିପରି ଆତ୍ମବିଶ୍ୱାସୀ ହେବେ ଓ ଭବିଷ୍ୟତରେ ସଫଳତା ପାଇବେ ତାହା ଉପରେ ଦୃଷ୍ଟି ନିକ୍ଷେପ କରିବା ଜରୁରୀ । ଦ୍ୱିତୀୟରେ ୫-ଟି ରୂପାନ୍ତର ଉପରେ ଧ୍ୟାନ ଦେବାକୁ ହେବ । ଫଳରେ ଏହା ପିଲାମାନଙ୍କ ପାଇଁ ଏକ ବଡ଼ ସଶକ୍ତିକରଣ ଦିଗରେ ପ୍ରୋତ୍ସାହିତ କରିବ । ପ୍ରିନ୍ସପାଲମାନେ ସେମାନଙ୍କ ଅନୁଷ୍ଠାନରେ ଏସବୁ ପ୍ରତି ଯତ୍ନଶୀଳ ହେବା ଦରକାର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ପିଲାଙ୍କୁ ଉଚିତ ଶିକ୍ଷା ଦେଇ ସଶକ୍ତ କରି ଆମ ସ୍ୱପ୍ନର ‘ନୂଆ ଓଡ଼ିଶା’ ନିର୍ମାଣ ସମ୍ଭବ ହୋଇପାରିବ । ଓଡ଼ିଶାର ଗ୍ରାମୀଣ ପ୍ରତିଭାମାନଙ୍କୁ ଇଂରାଜୀ ମାଧ୍ୟମରେ ମାଗଣା ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟା ପ୍ରତିଷ୍ଠା କରାଯାଇଛି । ଏହା ହେଉଛି ପିଲାମାନଙ୍କ ପାଇଁ ଲଞ୍ଚ-ପ୍ୟାଡ୍ ଭଳି । ଏଠାରେ ସେମାନେ ଅଧିକ ଉଚ୍ଚରେ ଉଡ଼ିବା ପାଇଁ ସୁଯୋଗ ପାଇବେ । ଇଞ୍ଜିନିୟରିଂ ଓ ଡାକ୍ତରୀ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଆଦର୍ଶ ବିଦ୍ୟାଲୟ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀ ପଟ୍ଟନାୟକ ପୁଣି କହିଛନ୍ତି ଯେ, ଆମର ଛାତ୍ରମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ସେଥିପାଇଁ ଏଭଳି ବୃହତ୍ତ ନିଯୁକ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ଏକ ବଡ଼ ପ୍ରୋତ୍ସାହନ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ୍ ପୋର୍ଟାଲ ଲୋକାର୍ପିତ କରିବା ସହ ୯ଟି ହଷ୍ଟେଲ ବିଲ୍ଡିଂର ଉଦ୍‌ଘାଟନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ମୟୂରଭଞ୍ଜରେ ୨ଟି,ଢେଙ୍କାନାଳ,ବୌଦ, ସୁନ୍ଦରଗଡ଼ରେ ଗୋଟିଏ କରି ହଷ୍ଟେଲ ଅନ୍ୟତମ । ସେହିପରି ଅନଗୋଳରେ ଗୋଟିଏ ଏକାଡେମିକ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତଙ୍କ ମଧ୍ୟରେ ୨୬୧ ଶିକ୍ଷକ ହେଉଛନ୍ତି କେବଳ ମହିଳା ବୋଲି ସୂଚନା ଦେଇଥିଲାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଲୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ, ଓଏଭିଏସ୍ ଏକ ପରିବାର ଭଳି । ଏହି ପରିବାରରେ ଆମେ ସମସ୍ତ ଏକାଠି ହୋଇ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ଭାବରେ ମିଳିବ ହିଁ ମିଳିବ । ଅନ୍ୟପକ୍ଷରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ କହିଛନ୍ତି ଯେ ଆପଣମାନେ ଯେଭଳି ଏକ ସ୍ୱଚ୍ଛ ବ୍ୟବସ୍ଥାରେ ଯୋଗ୍ୟତା ଅର୍ଜନ କରି ନିଯୁକ୍ତି ପାଇଛନ୍ତି, ତାର ପ୍ରତିଫଳନ ନିଜ କ୍ୟାରିଅରରେ ପ୍ରତିଫଳନ ହେବା ଜରୁରୀ । ଉକ୍ତ ନିଯୁକ୍ତି ପର୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅୱସ୍ଥି ଏସ୍ ସ୍ୱାଗତ ଭାଷଣ ଦେଇଥିଲାବେଳେ ଓଏଭି ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking