କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ପ୍ରେମ ସମ୍ପର୍କକୁ ନେଇ ଏକ ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରେମୀ ଯୁଗଳଙ୍କୁ ନେବା ପାଇଁ ପୁଲିସକୁ ହଟହଟା ହେବାକୁ ପଡ଼ିଛି । ଛତିଶଗଡ଼ ପ୍ରେମିକାକୁ ଓଡ଼ିଶା ଯୋଡ଼ାର ପ୍ରେମିକ । ଉଭୟ ଅପ୍ରାପ୍ତ ନାବାଳକ-ନାବାଳିକା ।
ସାମାଜିକ ଗଣମାଧ୍ୟମରୁ ପରିଚୟ ଓ ପରେ ପ୍ରେମ ସମ୍ପର୍କ । ପ୍ରେମିକା ଯୋଡ଼ାରେ ହାଜର ହେବା ପରେ ପଡୋଶୀଙ୍କ ସହାୟତାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଛତିଶଗଡ଼ ପୁଲିସ ଉଭୟଙ୍କୁ ନେବା ପାଇଁ ଯୋଡାରେ ହାଜର ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ ଯୋଗୁଁ ଛତିଶଗଡ଼ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଡା ଥାନାରେ । ଛତିଶଗଡ ରାଜ୍ୟ ସୀତାପୁର ଥାନା ଅଞ୍ଚଳର ଜଣେ ନାବାଳିକା ସହ ଯୋଡ଼ାର ନାବାଳକ ସହିତ ସାମାଜିକ ଗଣମାଧ୍ୟମରୁ ପରିଚୟ ଓ ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।
ସମ୍ପର୍କ ନିବିଡ଼ ହେବା ପରେ ସୁଦୂର ଛତିଶଗଡ଼ରୁ ଝିଅଟି ଚାଲିଆସି କିଛିଦିନ ପୂର୍ବେ ପୁଅ ଘରେ ଆତ୍ମଗୋପନ କରିଥିଲା । ଝିଅ ପରିବାର ଛତିଶଗଡ଼ରେ ଖୋଜାଖୋଜି କରିବାପରେ କୌଣସି ଖବର ନପାଇ ମାର୍ଚ୍ଚ ୨୮ ତାରିଖ ଇଚ୍ଛାପୁର ଥାନାରେ ଏକ ଅପହରଣ ମାମଲା ଦାଏର କରିଥିଲେ । ଏହାକୁ ଆଧାରକରି ଛତିଶଗଡ଼ ପୁଲିସ ଝିଅର ମୋବାଇଲ୍ ଟ୍ରାକିଂ କରି ଯୋଡ଼ାରେ ପହଞ୍ଚିଥିଲା । ଯୋଡା ପୁଲିସ ସହାୟତାରେ ଛତିଶଗଡ଼ ପୁଲିସ ପୁଅ ଘରକୁ ଯାଇ ଉଭୟଙ୍କୁ ଉଦ୍ଧାରକରି ମଙ୍ଗଳବାର ଯୋଡ଼ା ଥାନାରେ ଅଟକ ରଖିଥିଲା । ତେବେ ବୁଧବାର ଉଭୟଙ୍କୁ ନେଇ ଛତିଶଗଡ଼ ଯିବା ପାଇଁ ପୁଲିସ ପ୍ରସ୍ତୁତ ହେଉଥିବାବେଳେ ସ୍ଥାନୀୟ ଲୋକେ ଯୋଡ଼ା ଥାନା ସମ୍ମୁଖରେ ଛିଡ଼ାହୋଇ ଏହାକୁ ବିରୋଧ କରିଥିଲେ । ଅତି ଚତୁରତାର ସହିତ ଯୋଡ଼ା ପୁଲିସ ଥାନାର ପଛପଟ କବାଟଦେଇ ଉଭୟଙ୍କୁ ଛତିଶଗଡ଼ ଗାଡ଼ିରେ ବସାଇ ପଠାଇ ଦେଉଥିବାବେଳେ ନାବାଳକର ସାନଭଉଣୀ ଓ ସ୍ଥାନୀୟ ଲୋକେ ଗାଡ଼ି ସମ୍ମୁଖକୁ ଆସି ଏହାକୁ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ।
ନାବାଳକ ଜଣଙ୍କ ଚଳନ୍ତା ଗାଡ଼ିରୁ ଡେଇଁ ପଡୁଥିବାବେଳେ ପୁଲିସ ଗାଡ଼ି ଅଟକାଇଥିଲା । ଏହି ସମୟରେ ସ୍ଥାନୀୟ ବାସିନ୍ଦା ଓ ପୁଲିସ ମଧ୍ୟରେ ବେଶ୍ କିଛିସମୟ ଧରି ଟଣାଓଟରା ଦେଖିବାକୁ ମିଳିଥିଲା । ଏପରିକି ପରିସ୍ଥତି ନିୟନ୍ତ୍ରଣ କରିବାକୁ ପୁଲିସକୁ ହାତ ଉଠାଇବାକୁ ମଧ୍ୟ ପଡ଼ିଥିଲା । ତଥାପି ଛତିଶଗଡ଼ ପୁଲିସ ଉଭୟଙ୍କୁ ନେଇ ନପାରି ଯୋଡ଼ା ଥାନାରେ ଅଟକ ରଖିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ନାବାଳକ ଛୋଟ ଥିବାବେଳେ ତାର ମାଆ-ବାପା ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଆଉ ଛୋଟ ଛୋଟ ୩ ଭଉଣୀ ଥିବାବେଳେ ସେ ସମସ୍ତଙ୍କଠାରୁ ବଡ଼ । ବସ୍ତି ବାସିନ୍ଦାଙ୍କ ସହାୟତାରେ ତାଙ୍କ ପରିବାର ଚଳେ । ଛତିଶଗଡ ପୁଲିସ ନାବାଳକକୁ ନେଇଗଲେ ୩ ଅନାଥ ଶିଶୁଙ୍କ ଦାୟିତ୍ୱ ନେବ କିଏ ବୋଲି ସେମାନେ ପ୍ରଶ୍ନ କରିଥିଲେ । ନାବାଳକ ଜଣଙ୍କ ଏବେ ୧୦ମ ବୋର୍ଡ ପରୀକ୍ଷା ଦେଉଥିବାବେଳେ ବୁଧବାର ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ପ୍ରେମ ସମ୍ପର୍କରେ ଉଭୟଙ୍କର ଭୁଲଥିବାବେଳେ ସେମାନେ ଉଭୟ ନାବାଳକ । ତେଣୁ ସେମାନଙ୍କୁ ଛାଡ଼ିି ଦେବାପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ଯୋଡା ଥାନାରେ ଅଟକ ରହିଛନ୍ତି ।