ଭୁବନେଶ୍ୱର:ବନ୍ୟାଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ୨୦୧୯ରୁ ବନ୍ୟା ଜଳକୁ ନେଇ କୌଣସି ତଥ୍ୟ ଦେଉନାହିଁ । ଏହା କହିଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଆଜି ହୀରାକୁଦର ୫ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି । ଏହାପରେ ପଡୋଶୀ ରାଜ୍ୟର ଅସହଯୋଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟଯନ୍ତ୍ରୀ ।ସେ କହିଛନ୍ତି ବନ୍ୟାଜଳ ପରିଚାଳନା ପାଇଁ ଓଡିଶା ବୈଠକ ପାଇଁ ବାରମ୍ବାର ଡାକୁଛି । ଏଥିପାଇଁ ଚିଠି ମଧ୍ୟ ଦେଇଛି । କିନ୍ତୁ ପଡୋଶୀ ବୈଠକ ପାଇଁ ରାଜି ହେଉନି କି ଆବଶ୍ୟକ ତଥ୍ୟ ଜଳ ପରିଚାଳନା ପାଇଁ ଦେଉ ନାହିଁ । ସେହିପରି ଥରୁଟିଏ ବି ବୈଠକ ପାଇଁ ଡାକି ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି । ଏବେ ଆମ ପାଖରେ ନୂଆ ଟେକ୍ନୋଲୋଜି ଅଛି, ଆଇଏମଡି ରିପୋର୍ଟକୁ ଆଧାର କରି ଜଳ ପରିଚାଳନା କରାଯାଉଛି ବୋଲି ଯନ୍ତ୍ରୀ କହିଛନ୍ତି ।
ଆଜି ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥିଲା । ଏହାପରେ ପର୍ୟ୍ୟାୟ କ୍ରମେ ସମସ୍ତ ଗେଟ୍ ଖୋଲା ହୋଇଛି । ଏହି ଗେଟ୍ ଦ୍ୱାରା ୭୫ ହଜାର କ୍ୟୁସେକ୍ ଜଳ ତଳମୁଣ୍ଡକୁ ନିଷ୍କାସିତ ହେଉଛି । ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି ।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮ ହଜାର ୯୩୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୭୮୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏବେ କଲମାର ୬୬ଟି ଗେଟ୍ ଖୋଲା ରହିଛି । ଜୁନ୍ ୧୬ ତାରିଖରେ ଅକ୍ଟୋବର ୧ ତାରିଖ ଯାଏଁ କଲମାର ସମସ୍ତ ଗେଟ୍ ଖୋଲା ରହେ । ଏହାର ଉପରମୁଣ୍ଡରେ ଥିବା ବ୍ୟାରେଜ୍, ଡ୍ୟାମ୍ ଏବଂ ତାର ଅବବାହିକାରେ ଯେତେ ପାଣି ଆସିଥାଏ, ସେସବୁ ପାଣି ଏହି ସମୟରେ ନିଷ୍କାସନ କରାଯାଏ ।