19.1 C
Bhubaneswar
Tuesday, February 10, 2026
Homeଖେଳନଭେମ୍ବର ୫ରୁ ଚେନ୍ନାଇ ଗ୍ରାଣ୍ଡ୍ ମାଷ୍ଟର୍ସ

ନଭେମ୍ବର ୫ରୁ ଚେନ୍ନାଇ ଗ୍ରାଣ୍ଡ୍ ମାଷ୍ଟର୍ସ

ଚେନ୍ନାଇ: ଚଳିତ ବର୍ଷ ନଭେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଏଠାରେ ଚେନ୍ନାଇ ଗ୍ରାଣ୍ଡ ମାଷ୍ଟର୍ସର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବ। ଗତବର୍ଷ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ସଂସ୍କରଣ ବୃହତ୍ ସଫଳତା ପାଇଥିଲା। ଆଧିକାରିକ ଭାବେ ୨୭୧୧ ହାରାହାରି ୟେଲୋ ରେଟିଂ ସହ ଭାରତୀୟ ମାଟିରେ ଏହା କ୍ଲାସିକାଲ୍ ଚେସ୍‌ରେ ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଫାଇନାଲ୍‌ରେ ଡି ଗୁକେଶ୍ ଓ ଅର୍ଜୁନ୍ ଏରିଗାସୀ ଟାଇ କରିଥିବା ବେଳେ ଉନ୍ନତ ଟାଇବ୍ରେକ୍ ରେକର୍ଡ ଆଧାରରେ ଗୁକେଶ୍ ବିଜୟୀ ହୋଇଥିଲେ। ଏହି ଫଳାଫଳ ଗୁକେଶ୍‌ଙ୍କୁ ମହତ୍ତ୍ୱପୂର୍ଣ୍ଣ ଫିଡେ ସର୍କିଟ୍ ପଏଣ୍ଟ ହାସଲରେ ସହାୟତା କରିବା ସହିତ ସେ ଚାମ୍ପିଅନ୍ ହୋଇଥିବା ଫିଡେ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ବିଶ୍ୱ ଚାମ୍ପିଅନ୍‌ଶିପ୍ ପାଇଁ ଗୁକେଶ୍ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କୁ ଚ୍ୟାଲେଞ୍ଜ୍ କରିବେ। ଏହା ସିଙ୍ଗାପୁରରେ ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଆୟୋଜିତ ହେବ।

ଚେନ୍ନାଇ ଗ୍ରାଣ୍ଡ ମାଷ୍ଟର୍ସର ଦ୍ୱିତୀୟ ସଂସ୍କରଣରେ ସାତ ରାଉଣ୍ଡ୍ ବିଶିଷ୍ଟ କ୍ଲାସିକାଲ୍ ଚେସ୍ ଖେଳାଯିବ ଏବଂ ଏଥିରେ ହାରାହାରି ରେଟିଂ ୨୭୨୯ ରହିବ। ବିଶ୍ୱ ନଂ.୩ ଅର୍ଜୁନ ଏରିଗାସୀଙ୍କ ସମେତ ମାଷ୍ଟର୍ସ ସେକ୍ସନ୍‌ରେ ଲେଭନ୍ ଆରୋନିଆନ୍‌, ମାକ୍ସିମ୍ ଭାଚିଅର୍‌-ଲାଗ୍ରେଭ୍‌, ଭିଦିତ୍ ଗୁଜରାତୀ, ପରହାମ୍ ମାଘସୁଡ୍‌ଲୁ, ଆମେକ୍ସି ସାରାନା, ଅମିନ୍ ତାବାତାବାଏଇ ଏବଂ ଅରବିନ୍ଦ ଚିଦାମ୍ବରମ୍ ଭାଗନେବେ। ସେହିପରି ଟୁର୍ଣ୍ଣାମେଣ୍ଟ୍‌ରେ ଏକ ଚ୍ୟାଲେଞ୍ଜର୍ସ ସେକ୍ସନ୍ ରଖାଯାଇଛି ଏବଂ ଏହାର ବିଜେତା ଆସନ୍ତା ବର୍ଷର ମାଷ୍ଟର୍ସ ସେକ୍ସନ୍ ପାଇଁ ଯୋଗ୍ୟ ହେବେ। ଚ୍ୟାଲେଞ୍ଜର ସେକ୍ସନ୍‌ରେ ହାରାହାରି ୨୫୮୯ ରେଟିଂ ସହ ରୌନକ୍ ସାଧୱାନି, ଅଭିମନ୍ୟୁ ପୁରାନିକ୍‌, କର୍ତ୍ତିକେୟନ୍ ମୁରଲୀ, ଲେଓନ୍ ମେଣ୍ଡୋନ୍‌କା, ପ୍ରଣବ ଭି., ପ୍ରଣେଶ ଏମ୍‌, ହରିକା ଦ୍ରୋଣାଭଲ୍ଲୀ ଏବଂ ଆର୍ ବୈଶାଳୀ ଭାଗନେବେ। ଟୁର୍ଣ୍ଣାମେଣ୍ଟ୍‌ର ମାଷ୍ଟର୍ସ ସେକ୍ସନ୍ ପାଇଁ ମୋଟ ପୁରସ୍କାର ଅର୍ଥ ୫୦ ଲକ୍ଷ ଏବଂ ଚ୍ୟାଲେଞ୍ଜର୍ସ ସେକ୍ସନ୍ ପାଇଁ ୨୦ ଲକ୍ଷ ଟଙ୍କା ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking